ଏପ୍ରିଲ ୨୦୨୧ ସୁଦ୍ଧା ପ୍ରତ୍ୟେକ ଆମେରିକୀୟଙ୍କ ପାଇଁ ଉପଲବ୍ଧ ହେବ କରୋନା ଟିକା : ଟ୍ରମ୍ପ

ୱାଶିଂଟନ, ୧୯/୯ : ସାରା ବିଶ୍ୱରେ କରୋନା ଆମେରିକାରେ ସବୁଠାରୁ ଅଧିକ ବିପଦ ସୃଷ୍ଟି କରିଛି | ଆମେରିକାରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୭୦ ଲକ୍ଷ ଲୋକ ସଂକ୍ରମିତ ହୋଇଥିବାବେଳେ ମୃତ୍ୟୁସଂଖ୍ୟା ୨ ଲକ୍ଷ ଅତିକ୍ରମ କରିଛି। ଦେଶରେ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ବୈଜ୍ଞାନିକମାନେ କରୋନା ଟିକାକୁ ଶୀଘ୍ର ବଜାରରେ ଉପଲବ୍ଧ କରାଇବା ପାଇଁ ପ୍ରୟାସକୁ ଜୋରଦାର କରିଛନ୍ତି। ଏଥି ସହିତ, ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ମଧ୍ୟ ଆଶା କରିଛନ୍ତି ଯେ ଏପ୍ରିଲ ୨୦୧୧ ସୁଦ୍ଧା ପ୍ରତ୍ୟେକ ଆମେରିକୀୟଙ୍କ ପାଇଁ କରୋନା ଟିକା ଉପଲବ୍ଧ ହେବ।

ଶୁକ୍ରବାର ଟ୍ରମ୍ପ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଟିକାକୁ ଯେତେବେଳେ ମଂଜୁରୀ ମିଳିଯିବ, ସରାକାର ଏହାକୁ ତୁରନ୍ତ ଅମେରିକୀୟଙ୍କୁ ଉପଲବ୍ଧ କରାଇବେ । ପ୍ରତି ମାସରେ କୋଭିଡ ଡୋଜ ଉପଲବ୍ଧ ହେବ ଏବଂ ଆଶା କରାଯାଉଛି ଯେ, ୨୦୨୧ ଏପ୍ରିଲ ପର୍ଯ୍ୟନ୍ତ ପ୍ରତ୍ୟେକ ନାଗରିକଙ୍କୁ ଏହି ଟିକା ମିଳିପାରିବ । ସେ କହିଛନ୍ତି, ଆମେରିକାର ମେଧାବୀ ଡାକ୍ତର ଓ ବୈଜ୍ଞାନିକ କୋଭିଡ-୧୯ ଟିକା ପ୍ରସ୍ତୁତ କରିବା ପାଇଁ ୨୪ ଘଣ୍ଟା କାମ କରୁଛନ୍ତି । ସେ କହିଛନ୍ତି, ୩ଟି ଟିକାର କ୍ଲନିକାଲ ପରୀକ୍ଷା ଶେଷ ପର୍ଯ୍ୟାୟରେ ପହଂଚିଛି ।

ଟ୍ରମ୍ପ କହିଛନ୍ତି ଯେ, ଟିକାକୁ ନେଇ ଅନେକ ସ୍ତରରେ କାମ ଚାଲିଛି । ମହାମାରୀ ଶେଷ କରିବା ଲାଗି ଖୁବ ଶୀଘ୍ର ଟିକା ପ୍ରସ୍ତୁତ କରାଯିବା ଦରକାର । ଏହା ଦ୍ୱାରା ଜନଜୀବନ ସାଧାରଣ ସ୍ତରକୁ ଆସିବ । ଏକ ସଫଳ ଟିକା ଜୀବନ ବଂଚାଇବା ସହିତ କଟକଣା ମଧ୍ୟ ଶେଷ କରିପାରିବ ।