ନାଗପୁରରେ ଡେଟୋନେଟର ତିଆରି କମ୍ପାନିରେ ବିସ୍ଫୋରଣ, ୧୭ ମୃତ

ନୂଆଦିଲ୍ଲୀ, ୦୨/୦୩ : ମହାରାଷ୍ଟ୍ରର ନାଗପୁର ଜିଲ୍ଲାର କାଟୋଲ ଅଞ୍ଚଳରେ ଏକ ବଡ ଦୁର୍ଘଟଣା ଘଟିଛି । ରାଉଲଗାଓଁ ସ୍ଥିତ ଏସବିଏଲ ଏନର୍ଜି ଲିମିଟେଡ୍ ନାମକ ବିସ୍ଫୋରକ ତିଆରି କରୁଥିବା ଫ୍ୟାକ୍ଟ୍ରିରେ ଏକ ଶକ୍ତିଶାଳୀ ବିସ୍ଫୋରଣ ଘଟିଛି । ଏଥିରେ ଅନ୍ୟୁନ ୧୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୮ ଜଣ ଆହତ ହୋଇଛନ୍ତି । ଏହି କମ୍ପାନି ଖନନ ଏବଂ ଅଦୌଗିକି କାର୍ଯ୍ୟ ପାଇଁ ଡେଟୋନେଟର ଓ ଅନ୍ୟ ବିସ୍ଫୋରକ ପ୍ରସ୍ତୁତ କରିଥାଏ । ଫ୍ୟାକ୍ଟ୍ରିରେ ସକାଳ ସିଫ୍ଟର କର୍ମଚାରୀ ନିଜର କାମ ଆରମ୍ଭ କରିଥିଲେ । ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ଯେବେ ଡେଟୋନେଟର ତିଆରି ପ୍ରକ୍ରିୟା ଚାଲିଥିଲା, ସେହି ସମୟରେ ଅଚାନକ ଏକ ଶକ୍ତିଶାଳୀ ବିସ୍ଫୋରଣ ଘଟିଥିଲା । ଏଥିରେ ଏ ପର୍ଯ୍ୟନ୍ତ ୧୭ ଜଣଙ୍କ ମୃତ୍ୟୁ ଘଟିଛି ।

ନାଗପୁର ଗ୍ରାମାଞ୍ଚଳ ପୋଲିସ ଏସପି ହର୍ଷ ପୋଦ୍ଦାର ମୃତାହତଙ୍କ ସଂଖ୍ୟାର ସୂଚନା ଦେଇ କହିଛନ୍ତି, ଆହତଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଥିରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ତେବେ ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, ଏହାର ଶବ୍ଦ ଅନେକ କିଲୋମିଟର ପର୍ଯ୍ୟନ୍ତ ଶୁଣିବାକୁ ମିଳିଥିଲା । ଫ୍ୟାକ୍ଟ୍ରିର ଛାତ ଭୁଶୁଡିବା ସହ କାନ୍ଥ ଭାଙ୍ଗି ଯାଇଛି । ଘଟଣାର ସୂଚନା ମିଳିବା ମାତ୍ରେ ସ୍ଥାନୀୟ ପୋଲିସ, ଦମକଳ ବିଭାଗର ଅନେକ ଗାଡି, ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଥିଲେ । ପୋଲିସ ଓ ପ୍ରଶାସନର ଟିମ୍ ଅତଡା ତଳୁ ଲୋକଙ୍କୁ ଉଦ୍ଧାର କରିବାରେ ଜୁଟିଛନ୍ତି । ନିଆଁକୁ ନିୟନ୍ତ୍ରଣ ପାଇଁ ଯୁଦ୍ଧକାଳୀନସ୍ତରରେ କାମ ଜାରି ରହିଛି ।