ଚକ୍ଷୁ ଏକ ଅମୂଲ୍ୟ ସମ୍ପଦ । ମୃତ୍ୟୁ ପରେ ଚକ୍ଷୁଦାନ କରିବାକୁ ସହମତି ପ୍ରଦାନ କରନ୍ତୁ । କାରଣ ଆପଣ ଚକ୍ଷୁଦାନ ଦ୍ୱାରା ଦୁଇ ଜଣ ଅନ୍ଧ ବ୍ୟକ୍ତିଙ୍କ ଦୃଷ୍ଟିଶକ୍ତି ଫେରିପାଇବାରେ ସହାୟକ ହୋଇପାରିବେ । ଏହାକୁ ପୋଡ଼ନ୍ତୁ ନାହିଁ କି ପୋତନ୍ତୁ ନାହିଁ । ଯେକେହି ବ୍ୟକ୍ତି ଧର୍ମ, ବର୍ଣ୍ଣ, ଲିଙ୍ଗ, ବୟସ କିମ୍ବା ରକ୍ତ ଗ୍ରୁପ ନିର୍ବିଶେଷରେ ସମସ୍ତେ ଚକ୍ଷୁଦାନ କରିପାରିବେ । ବର୍ତ୍ତମାନ ସମୟରେ ୧.୨ ମିଲିଅନ ସ୍ୱଚ୍ଛପଟଳ ଜନିତ ଅନ୍ଧତ୍ୱ ସମଗ୍ର ଭାରତବର୍ଷରେ ଦେଖିବାକୁ ମିଳୁଛି । ଏବଂ ଏହାର ପରିମାଣ ଦିନକୁ ଦିନ ବଢ଼ିବାରେ ଲାଗିଛି । ସାଧାରଣ ଭାବେ ଦେଖିବାକୁ ଗଲେ, ପ୍ରତିବର୍ଷ ୨୫୦୦୦ରୁ ୩୦୦୦୦ ହଜାର ଲୋକ ଏହି ରୋଗରେ ଆକ୍ରାନ୍ତ ହେଉଛନ୍ତି ।

ଚଷମା ପିନ୍ଧୁଥିବା ବ୍ୟକ୍ତି, ମଧୁମେହ, ଉଚ୍ଚ ରକ୍ତଚାପ, ମୋତିଆବିନ୍ଦୁ ଅସ୍ତ୍ରୋପଚାର କରିଥିବା ବ୍ୟକ୍ତି ମଧ୍ୟ ଚକ୍ଷୁଦାନ କରିପାରିବେ । ଆପଣଙ୍କ ଚକ୍ଷୁଦାନ ଇଚ୍ଛା ମଧ୍ୟ ଆପଣଙ୍କ ପରିବାର ସଦସ୍ୟଙ୍କୁ ଜଣାଇବା ଭଲ । ଏହି ସମ୍ପର୍କିତ ସମସ୍ତ କାଗଜପତ୍ର, ଫର୍ମ ନିକଟସ୍ଥ ଚକ୍ଷୁ ବିଶେଷଜ୍ଞଙ୍କଠାରୁ ଆପଣ ସଂଗ୍ରହ କରିପାରିବେ । ମୃତ୍ୟୁର ୬-୮ ଘଣ୍ଟା ମଧ୍ୟରେ ଏହି ଚକ୍ଷୁ ବାହାର କରାଯିବା ଉଚିତ୍ । ମୃତ୍ୟୁପରେ ତୁରନ୍ତ ନିକଟସ୍ଥ ଚକ୍ଷୁ ବ୍ୟାଙ୍କ ସହ ଯୋଗାଯୋଗ କରନ୍ତୁ । ଏହା ଆପଣ ଘରେ କିମ୍ବା ଡାକ୍ତରଖାନା ଯାଇ ମଧ୍ୟ କରିପାରିବେ । ଏହା ଦ୍ୱାରା ମୃତ ବ୍ୟକ୍ତିର ମୁଖ ବିକୃତ ହୁଏ ନାହିଁ । ଏହି ସ୍ଥାନରେ କୃତିମ କାଚ ଚକ୍ଷୁ ସଂଯୋଗ କରାଯାଏ । ଏହି ପ୍ରଣାଳୀରେ ଉଭୟ ଚକ୍ଷୁ ଦାତା ଓ ଗ୍ରହୀତାଙ୍କ ପରିଚୟ ଗୋପନ ରଖାଯାଏ । ଏହା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ପ୍ରଚେଷ୍ଟା ବଳରେ ୨୦୦୫ ମସିହାଠାରୁ ଆଜି ପର୍ଯ୍ୟନ୍ତ ନିଃଶୁଳ୍କ ଭାବେ କରାଯାଉଛି । ଏହି ସ୍ୱଚ୍ଛପଟ୍ଟଳ ଅସ୍ୱଚ୍ଛ ହେବାର ପ୍ରମୁଖ କାରଣ ହେଉଛି କର୍ଣ୍ଣିଆ କୌଣସି କାରଣ ଯୋଗୁ ଆଘାତ ପାଇଲେ କିମ୍ବା କୌଣସି ରସାୟନିକ ପଦାର୍ଥ ସହ ଚକ୍ଷୁ ସଂସ୍ପର୍ଷରେ ଆସିଲେ କିମ୍ବା ମୋତିଆ ବିନ୍ଦୁ ଅସ୍ତ୍ରୋପଚାରରେ କିଛି ତୃଟି ଥିଲେ ଏଭଳି ପରିସ୍ଥିତି ଉପୁଜିଥାଏ ।

ଏହି ଚକ୍ଷୁ ଦାନ କରିବା ପାଇଁ ପ୍ରଥମେ ମୃତ୍ୟୁ ପରେ ବ୍ୟକ୍ତିର ଆଖି ପତା ବନ୍ଧ କରିଦିଅନ୍ତୁ । ସ୍ୱଚ୍ଛପଟ୍ଟଳକୁ ଆଦ୍ର ରଖିବା ପାଇଁ ତା\’ଉପରେ ଓଦା ତୁଳା ରଖନ୍ତୁ । ମୁଣ୍ଡ ତଳେ ତକିଆ ରଖି ମୁଣ୍ଡକୁ ୬ଇଞ୍ଚ ଉଠାଇ ରଖନ୍ତୁ । ଯେତେ ସମ୍ଭବ, ବ୍ୟକ୍ତିକୁ ପଙ୍ଖା ବନ୍ଦ କରି ଏସି ରୁମ୍ରେ ରଖନ୍ତୁ ଏବଂ ଡାକ୍ତରଙ୍କଠାରୁ ମୃତ୍ୟୁ ଘୋଷଣାପତ୍ର ସଂଗ୍ରହ କରନ୍ତୁ । ଯଦି ମୃତ୍ୟୁବରଣ କରିଥିବା ବ୍ୟକ୍ତି ଜଣ୍ଡିସ, ଏଚ୍ଆଇଭି ଏଡସ୍, ଜଳାନ୍ତକ, ରକ୍ତ କର୍କଟ, ମସ୍ତିଷ୍କ ଜ୍ୱର କିମ୍ବା ସଂକ୍ରମିତ ରୋଗ ଯେପରିକି କରୋନା ଜନିତ ମୃତ୍ୟୁବରଣ କରିଥାନ୍ତି, ତେବେ ସେ ବ୍ୟକ୍ତି ନିଜର ଚକ୍ଷୁଦାନ କରିପାରିବେ ନାହିଁ । ଅନ୍ୟଥା ସାଧାରଣ ଲୋକ ଚକ୍ଷୁଦାନ କରିବାରେ କୌଣସି ଅସୁବିଧା ନାହିଁ । ତେଣୁ ସର୍ବସାଧାରଣଙ୍କ ଗୋଚରାର୍ଥେ ଏହା ଜଣାଇଦିଆଯାଉଛି କି ସମସ୍ତେ ଏହି ମହାନ୍ ଚକ୍ଷୁଦାନ ସଚେତନ ଅଭିଯାନରେ ସାମିଲ ହୁଅନ୍ତୁ ଏବଂ ଏହାକୁ ସଫଳ ଅନୁପ୍ରାଣିତ କରାନ୍ତୁ ।
ଡା. ଦିଲ୍ଲୀପ କୁମାର ସାହୁ
ବରିଷ୍ଠ ଚକ୍ଷୁ ବିଶେଷଜ୍ଞ ତଥା ଅଧିକ୍ଷକ
ଇ.ଏସ୍.ଆଇ ହସ୍ପିଟାଲ୍, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର