ନକଲି ଆର୍ମି ଅଫିସର ଗିରଫ

ଭୁବନେଶ୍ଵର: ହାଇସିକ୍ୟୁରିଟି ଜୋନରେ ବୁଲୁଥିଲା ଆର୍ମି ଗାଡି, ଚେକିଂ ବେଳେ ଧରାପଡିଲେ ନକଲି ଆର୍ମି ଅଫିସର। ସେନସିଟିଭ ଜୋନ ହେଉ ବା ହାଇସିକ୍ୟୁରିଟି ଜୋନ, ସବୁଆଡେ ବୁଲୁଥିଲା ଆର୍ମି ଲେଖାଥିବା ଏକ ଏସୟୁଭି କାର । ବାରମ୍ବାର ଟ୍ରାଫିକ ନିୟନ ଉଲ୍ଲଙ୍ଘନ କରି ବୁଲୁଥିବା ଏହି ଗାଡିକୁ ଯାଞ୍ଚ କରିବାରୁ ଏହାର ଅସଲି ଗୁମର ଫିଟିଛି। ଭୁବନେଶ୍ବରର ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯେଉଁଠି ଜଣେ ଯୁବକ ନିଜକୁ ଆର୍ମି ଅଫିସର ଦର୍ଶାଇ ଆଉ ଜଣଙ୍କ ଗାଡି ନମ୍ବର ବ୍ୟବହାର କରି ହାଇସିକ୍ୟୁରିଟି ଜୋନରେ ଘୁରି ବୁଲୁଥିଲେ ।

ରତିକାନ୍ତ ନାମକ ଜଣେ ଯୁବକ ଆର୍ମି ଲେଖାଥିବା ଗୋଟିଏ କାର ଧରି ସୁବୁଠି ବୁଲି ବାରମ୍ବାର ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରୁଥିଲେ । ଯାହାଫଳରେ ଏହି ଗାଡିର ମାଲିକଙ୍କ ପାଖକୁ ଆସୁଥିଲା ଚାଲାଣ । ୮ ହଜାରରୁ ୧୦ ହଜାର ଚାଲାଣ ଟପିବା ପରେ ଗାଡିର ଅସଲି ମାଲିକ ଧନଞ୍ଜୟ ହୋତା ଏଥିରେ ଆଶ୍ଚର୍ଯ୍ୟ ହୋଇ ଏହି ଯାଞ୍ଚ କରିଥିଲେ । ଗାଡି ଘରେ ଥିବା ବେଳେ ଏଭଳି ଫାଇନ କିପରି କଟୁଛି ବୋଲି ସେ ଯାଞ୍ଚ କରିବାରୁ ତାଙ୍କ ଗାଡି ନମ୍ବରର ଆଉ ଏକ ନକଲି ନମ୍ବର ପ୍ଲେଟ ଜରିଆରେ ଭୁବନେଶ୍ବର ହାଇସିକ୍ୟୁରିଟି ଜୋନରେ ଏକ କାର ବୁଲୁଥିବା ଜାଣିବାକୁ ପାଇଥିଲେ ।

ଧନଞ୍ଜୟ ଅନେକ ଚେଷ୍ଟା ପରେ ଶେଷରେ ସେ ଶୁକ୍ରବାର ଜୟଦେବ ବିହାର ଛକରେ ଗାଡିକୁ ଧରିଥିଲେ । ଏହି ସମୟରେ ହଠାତ୍ ଗାଡି ଭିତରୁ ଜଣେ ଯୁବକ ବାହାରି `ମୁଁ ଆର୍ମି ଅଫିସର.. ମତେ ଛାଡ଼ । ଜାଣିଛ ମୁଁ କଣ କରିପାରିବି’ ବୋଲି ଧମକ ଦେଇଥିଲେ । ଯୁକ୍ତିତର୍କ ବଢିବାରୁ ପୋଲିସକୁ ଡକାଇ ଯାଇଥିଲା। ତେବେ ଯୁବକ ଜଣକ ଥାନାରେ ନିଜକୁ ୧୯୯୯ ମସିହା ବ୍ୟାଚ୍‌ର ସିଡିଏସ୍ ଆର୍ମି ଅଫିସର ବୋଲି ପରିଚୟ ଦେଇଥିଲେ । ଏଥିସହ ଅନେକ ଧମକ ଚମକ ଦେଇଥିଲେ ଏହି ବ୍ୟକ୍ତି ଜଣକ । ଘଟଣାର ଆଇଆଇସିଙ୍କ ତଦନ୍ତ ପରେ ସମସ୍ତ ସାମ୍ନାକୁ ଆସିଥିଲା ବ୍ୟକ୍ତିଜଣକ ନିଜ ଭୁଲ୍ ମାନିଥିଲେ। ଗାଡ଼ିଟି ଜଣେ ଆଳୁ ବ୍ୟବସାୟୀ ଠାରୁ କିଣିଥିବା ସହ ଗାଡିର ମାଲିକାନା ପରିବର୍ତ୍ତନ କରିନି ବୋଲି ଗିରଫ ଯୁବକ ରତିକାନ୍ତ ପୋଲିସ ଆଗରେ ବୟାନ ଦେଇଛି । ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । ତେବେ ଅନେକ ପ୍ରଶ୍ନର ଉତ୍ତର ସହ ଆଳୁ ବ୍ୟବସାୟୀକୁ ଖୋଜିବାକୁ ପୋଲିସ ଚେଷ୍ଟା କରୁଛି ।