ନୂଆଦିଲ୍ଲୀ, ୨୫/୯ : କେନ୍ଦ୍ର ସରକାରଙ୍କ ବିବାଦୀୟ କୃଷି ବିଲ୍କୁ ବିରୋଧ କରି ଭାରତୀୟ କିଶାନ ୟୁନିୟନ (ବିକେୟୁ), ଅଲଇଣ୍ଡିଆ କୃଷକ ସଂଗଠନ (ଏଆଇଏଫୟୁ), ଅଖିଳ ଭାରତ କିଶାନ ସଂଘର୍ଷ ସମନ୍ବୟ କମିଟି (ଏଆଇକେଏସସିସି) ଓ ଅଲ୍ ଇଣ୍ଡିଆ କିଶାନ ମହାସଙ୍ଘ (ଏଆଇକେଏମ), ଓଡ଼ିଶାର ନବନିର୍ମାଣ କୃଷକ ସଂଗଠନ ସମେତ ଦେଶବ୍ୟାପୀ ୩୧ଟି କୃଷକ ସଂଗଠନ ଓ ବିଭିନ୍ନ ରାଜନୈତିକ ଦଳ ଆଜି ଭାରତ ବନ୍ଦ ଡାକରା ଦେଇଛନ୍ତି।
ଆଜି ଦେଶର ସମସ୍ତ କୃଷକ ଏହି ବିଲ୍କୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିବାକୁ ବିକେୟୁ ପକ୍ଷରୁ କୁହାଯାଇଛି। ଏହି ବନ୍ଦ ଡାକରାକୁ ପଶ୍ଚିମବଙ୍ଗର ଶାସକ ଦଳ ଟିଏମସି, କେରଳର ଶାସକ ବାମପନ୍ଥୀ ଦଳ, ତେଲେଙ୍ଗାନାର ଟିଆରଏସ, ଦିଲ୍ଲୀର ଆମ୍ ଆଦ୍ମୀ ପାର୍ଟି, ପଞ୍ଜାବର କଂଗ୍ରେସ ଭଳି ଦେଶର ୧୮ଟି ରାଜନୈତିକ ଦଳ ଏହାକୁ ସମର୍ଥନ କରୁଛନ୍ତି।