ଭୁବନେଶ୍ୱର, ୧୧/୦୩ : କିଟ୍ ବିଶ୍ୱବିଦ୍ୟାଳୟରେ ଆୟୋଜିତ ହେବ ୬୧ତମ ଫେମିନା ମିସ୍ ଇଣ୍ଡିଆ ଗ୍ରାଣ୍ଡ ଫିନାଲେ । ଆସନ୍ତା ଏପ୍ରିଲରେ କିଟ୍ କ୍ୟାମ୍ପସରେ ଏହି ମେଗା ଇଭେଣ୍ଟ ଆୟୋଜନ କରାଯିବ । ଏ ନେଇ ଆଜି ମୁମ୍ବାଇ ଠାରେ କିଟ୍ ଓ ଫେମିନା ମିସ୍ ଇଣ୍ଡିଆ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି । ପ୍ରଥମ ଥର ପାଇଁ କୌଣସି ବିଶ୍ୱବିଦ୍ୟାଳୟରେ ଏଭଳି ମେଗା ଇଭେଣ୍ଟ ଆୟୋଜନ କରାଯାଉଛି। ଏହା ସହିତ ଦେଶର ପୂର୍ବାଞ୍ଚଳରେ ଏଭଳି କାର୍ଯ୍ୟକ୍ରମ ପ୍ରଥମ ଥର କିଟରେ ଆୟୋଜନ କରାଯାଉଛି। କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ଉପସ୍ଥିତିରେ କିଟ୍ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଶରଣଜିତ ସିଂହ ଓ କିଟ୍ ସ୍କୁଲ ଅଫ୍ ଆର୍କିଟେକଚର ମହାନିର୍ଦ୍ଦେଶକ ପ୍ରଫେସର ଏସ୍ ଏସ୍ ରାୟ ଓ ଟାଇମ୍ ଗ୍ରୁପ ପକ୍ଷରୁ ଏହାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରୋହିତ ଗୋପ କୁମାର ଏହି ବୁଝାମଣା ପତ୍ରରେ ସ୍ଵାକ୍ଷର କରିଥିଲେ। ମୁମ୍ବାଇର ଟାଇମ୍ସ ଅଫ୍ ଇଣ୍ଡିଆ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଫେମିନା ମିସ୍ ଇଣ୍ଡିଆ ୨୦୨୫ର କର୍ମକର୍ତ୍ତା ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ବୁଝାମଣା ସାମୟରେ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରା ଯାଇଥିଲା। ଏହି କାର୍ଯ୍ୟକ୍ରମ ଆୟୋଜନ ପାଇଁ ଫେମିନା ମିସ୍ ଇଣ୍ଡିଆ ପକ୍ଷରୁ ଦୀର୍ଘ ୪ ମାସ ପୂର୍ବରୁ କିଟ୍ ଓ କିସ୍ ପରିଦର୍ଶନ କରି ଏହାର ଭିତ୍ତିଭୂମି ବୁଲି ଦେଖି ଥିଲେ। କିଟ୍ ର ଅତି ସୁନ୍ଦର ଭିତ୍ତିଭୂମି ଦେଖି କିଟ୍ ରେ ଏହି କାର୍ଯ୍ୟକ୍ରମ ଆୟୋଜନ କରିବାକୁ ସେମାନେ ନିଷ୍ପତ୍ତି ନେଇଥିଲେ। ଏହି ଅବସରରେ ସୂଚନା ଦେଇ ଡ. ସାମନ୍ତ କହିଲେ ଏହା ଏକ ମର୍ଯ୍ୟାଦାଜନକ କାର୍ଯ୍ୟକ୍ରମ ହୋଇଥିବାରୁ ଏହା କିଟ୍ କିସ୍ ଓ ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ।