ଭୁବନେଶ୍ବର: ଆଜିଠୁ ହକି ମହାକୁମ୍ଭ ମୁକାବିଲା । ଭୁବନେଶ୍ବରର କଳିଙ୍ଗ ଓ ରାଉରକେଲାର ବିର୍ସା ମୁଣ୍ଡାର ଷ୍ଟାଡ଼ିୟମ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ। ପ୍ରଥମ ଦିନରେ ୪ଟି ଲିଗ୍ ମ୍ୟାଚ ଖେଳାଯିବ। କଳିଙ୍ଗ ଷ୍ଟାଡ଼ିୟମରେ ଅପରାହ୍ଣ ୧ଟାରେ ପ୍ରଥମ ମ୍ୟାଚରେ ଆର୍ଜେଣ୍ଟିନା-ଦକ୍ଷିଣ ଆଫ୍ରିକାକୁ ଭେଟିବ। ଏହାପରେ ଅପରାହ୍ଣ ୩ଟାରେ ଦ୍ବିତୀୟ ମ୍ୟାଚ ଅଷ୍ଟ୍ରେଲିଆ-ଫ୍ରାନ୍ସ ମଧ୍ୟରେ ଖେଳାଯିବ। ବିର୍ସା ମୁଣ୍ଡା ହକି ଷ୍ଟାଡ଼ିୟମରେ ଅପରାହ୍ଣ ୫ଟାରେ ଇଂଲଣ୍ଡ-ୱେଲସକୁ ଭେଟିବାବେଳେ ରାତି ୭ଟାରେ ଘରୋଇ ଭାରତ-ସ୍ପେନକୁ ଭେଟିବ। ଆୟୋଜକ ଭାରତ ପ୍ରଥମ ମ୍ୟାଚ ସ୍ପେନ ବିପକ୍ଷରେ ରାଉରକେଲାର ନବନିର୍ମିତ ବିର୍ସା ମୁଣ୍ଡା ହକି ଷ୍ଟାଡ଼ିୟମରେ ଖେଳି ଅଭିଯାନ ଆରମ୍ଭ କରିବ। ଗ୍ରାହାମ ରିଡ୍ଙ୍କ ପ୍ରଶିକ୍ଷଣ ଓ ହରମାନପ୍ରୀତ ସିଂହଙ୍କ ନେତୃତ୍ବରେ ଭାରତୀୟ ଯୁବ ଦଳ ବିଶ୍ବକପ ଜିତିବାର ୪୮ ବର୍ଷ ପ୍ରତିକ୍ଷାର ଅନ୍ତ ଘଟାଇବା ଲକ୍ଷ୍ୟ ରଖି ପଡିଆକୁ ଓହ୍ଲାଇବେ।
ଭାରତ ପ୍ରଥମ ତଥା ଏକମାତ୍ର ବିଶ୍ବକପ ୧୯୭୫େର କ୍ବାଲାଲାମ୍ପପୁରରେ ଅଜିତପାଲ ସିଂହଙ୍କ ଅଧିନାୟକତ୍ବରେ ଜିତିଥିଲା। ହକି ବିଶ୍ବକପ ଭାରତରେ ୪ର୍ଥ ଥର ଆୟୋଜିତ ହେଊଥିବାେଳ ଓଡ଼ିଶା କ୍ରମାଗତ ଦ୍ବିତୀୟ ଥର ପାଇଁ ଆୟୋଜନ କରୁଛି। ଭୁବନେଶ୍ବରରେ ୨୦୧୮ରେ ବିଶ୍ବକପ ଖେଳାଯାଇଥିବାବେଳେ ଚଳିତ ଥର ଭୁବନେଶ୍ବର ସମେତ ହକିର ଅନ୍ତୁଡିଶାଳ ସୁନ୍ଦରଗଡ ଜିଲାର ରାଉରକେଲାରେ ଆୟୋଜିତ ହେଉଛି। ହକି ବିଶ୍ବକପ ପାଇଁ ରାଉରକେଲାରେ ବିଶ୍ବର ସର୍ବବୃହତ ହକି ଷ୍ଟାଡ଼ିୟମ ନିର୍ମିତ ହୋଇଥିବାବେଳେ ହକି ପ୍ରେମୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି। ପ୍ରତିଯୋଗିତାରେ ୧୬ଟି ଦଳ ଅଂଶଗ୍ରହଣ କରିଥିବାବେଳେ ୧୭ ଦିନରେ ମୋଟ ୪୪ଟି ମ୍ୟାଚ ଖେଳାଯିବ। ୨୯ରେ କଳିଙ୍ଗ ଷ୍ଟାଡ଼ିୟମରେ ଫାଇନାଲ ମ୍ୟାଚ ଖେଳାଯିବ।
