ପିପିଲି ଉପନିର୍ବାଚନ ପାଇଁ ନେତା ଓ କର୍ମୀଙ୍କ ସହ ଆଲୋଚନା କଲେ ଚିରଞ୍ଜୀବୀ ବିଶ୍ୱାଳ

ପିପିଲି,୪ /୨ : ବିଧାୟକ ପ୍ରଦୀପ ମହାରଥୀଙ୍କ ତିରୋଧାନ ପରେ ଏହି ଆସନରେ ଉପନିର୍ବାଚନ ପାଇଁ ଖୁବ୍‍ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବାର ସମ୍ଭାବନା ରହିଛି । ଉପନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀ ଖୋଜା ସାଙ୍ଗକୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ କଂଗ୍ରେସ ଦଳ ପକ୍ଷରୁ କାହାକୁ ପ୍ରାର୍ଥୀ କରାଯିବ ସେନେଇ ଆଜି ସ୍ଥାନୀୟ କଂଗ୍ରେସ ନେତା ଓ କର୍ମୀଙ୍କ ସହ ପିସିସି ନେତୃମଣ୍ଡଳୀଙ୍କ ଆଲୋଚନା ହୋଇଛି ।

ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବୀ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ପିପିଲିର ମଙ୍ଗଳପୁର ଠାରେ ଆୟୋଜିତ ବୈଠକରେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡା, ବରିଷ୍ଠ ନେତା ଜାନକୀ ବଲ୍ଲଭ ପଟ୍ଟନାୟକ, ପିସିସି ମୁଖପାତ୍ର ସତ୍ୟ ନାୟକ, ପୂର୍ବତନ ବିଧାୟକ ବିପିନ ଦାଶ ପ୍ରମୁଖଙ୍କୁ ନେଇ ଗଠିତ ୫ଜଣିଆ କମିଟି ସଦସ୍ୟ ଯୋଗଦେଇ ଆଶାୟୀ ପ୍ରାର୍ଥୀଙ୍କ ସଂପର୍କରେ ଆଲୋଚନା କରିଥିଲେ । ପିପିଲି ବ୍ଲକର ୨୫ଟି ପଞ୍ଚାୟତର ବରିଷ୍ଠ କଂଗ୍ରେସ ନେତା, ସରପଞ୍ଚ, ସମିତିସଭ୍ୟ, ୱାର୍ଡସଭ୍ୟ, ଯୁବନେତା ପ୍ରମୁଖଙ୍କ ସହ ସେମାନେ ପୃଥକ ଭାବେ ଆଲୋଚନା କରି ସେମାନଙ୍କ ମତ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ ଯାହାକୁ ପ୍ରାର୍ଥୀ କରାଯିବ ତାଙ୍କୁ ଆମେ ପୂର୍ଣ୍ଣ ସମର୍ଥନ ଦେଇ ଏକଜୁଟ୍‍ ହୋଇ ନିର୍ବାଚନ ଲଢିବୁ ବୋଲି ସମସ୍ତେ ମତବ୍ୟକ୍ତ କରିଥିଲେ । ତେବେ ଏହି ବୈଠକରେ ଆଶାୟୀ ପ୍ରାର୍ଥୀମାନେ ସେମାନଙ୍କ ସମର୍ଥକଙ୍କ ସହ ଉପସ୍ଥିତ ଥିବା ବେଳେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଯୁଧିଷ୍ଠୀର ସାମନ୍ତରାୟ ସେଠାରେ ଅନୁପସ୍ଥିତ ଥିଲେ ।