ପ୍ରଭାସଙ୍କ ଫିଲ୍ମ ‘ଆଦିପୁରୁଷ’ ଶୁଟିଂ ସେଟ୍‌ରେ ଭୟଙ୍କର ଅଗ୍ନିକାଣ୍ଡ, ସମସ୍ତେ ସୁରକ୍ଷିତ

ମୁମ୍ବାଇ, ୨/୨ : ବାହୁବଳୀ ଫେମ ପ୍ରଭାସ ଅଭିନୀତି ବହୁଚର୍ଚ୍ଚିତ ଚଳଚ୍ଚିତ୍ର ‘ଆଦିପୁରୁଷ’ର ଶୁଟିଂ ସେଟ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ମୁମ୍ବଇର ଗୋରେଗାଓଁଠାରେ ‘ଆଦିପୁରୁଷ’ ଚଳଚ୍ଚିତ୍ରର ଶୁଟିଂ ନିମନ୍ତେ ବଡ ସେଟ ତିଆରି କରାଯାଇଥିଲା। କିନ୍ତୁ ଆଜି ସନ୍ଧ୍ୟାରେ ଶୁଟିଂ ଆରମ୍ଭ ହେବାର କିଛି ସମୟ ପରେ ସେଟ୍‌ରେ ନିଆଁ ଲାଗିଯାଇଥିଲା। ଅଳ୍ପ ସମୟ ମଧ୍ୟରେ ନିଆଁ ଦ୍ରୁତଗତିରେ ବ୍ୟାପୀ ଯାଇଥିଲା। ଏହି ସମୟରେ ସେଟ୍‌ରେ ୫୦ରୁ ୬୦ ଜଣ ଲୋକ ଉପସ୍ଥିତ ଥିଲେ।

ମିଳିଥିବା ଖବର ଅନୁସାରେ, ନିଆଁ ଲିଭାଇବା ପାଇଁ ୮ଟି ଦମଳକ ଗାଡ଼ି ନିୟୋଜିତ ହୋଇଛନ୍ତି। ସୌଭାଗ୍ୟବଶତଃ ଏହି ଘଟଣାରେ କେହି ମୃତାହତ ହୋଇନାହାନ୍ତି ।

ସୂଚନାଯୋଗ୍ୟ, ଏହି ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ପ୍ରଭାସ ଏବଂ ସୈଫ ଅଲ୍ଲୀ ଖାନ୍‌ ରହିଥିବାବେଳେ ଚଳଚ୍ଚିତ୍ରର ବଜେଟ ୪୦୦ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି।