ଥିରୁଅନନ୍ତପୁରମ : ଥିରୁଅନନ୍ତପୁରମ ସ୍ଥିତ କେରଳ ସଚିବାଳୟରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ କେହି ମୃତାହତ ହୋଇନଥିବା ବେଳେ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ପୋଡି ନଷ୍ଟ ହୋଇଥିବା ଜଣାପଡିଛି। ସୁନା ଚୋରା କାରବାର ସହ ଜଡିତ ପ୍ରମାଣ ନଷ୍ଟ କରିବାକୁ ଏହା ଷଡଯନ୍ତ୍ର ବୋଲି ବିରୋଧୀମାନେ ଅଭିଯୋଗ କରିଛନ୍ତି। ବିଜେପି ନେତାମାନେ ମଧ୍ୟ ସଚିବଙ୍କ ସମ୍ମୁଖରେ ସରକାରଙ୍କ ବିରୋଧରେ ପ୍ରଦର୍ଶନ କରିବା ସହ ଘଟଣାକୁ ଯୋଜନାବଦ୍ଧ ଷଡଯନ୍ତ୍ର ବୋଲି କହିଛନ୍ତି।
ବିରୋଧ ପ୍ରଦର୍ଶନ ପାଇଁ ବିଜେପି ରାଜ୍ୟ ସଭାପତି କେ.ସୁରେନ୍ଦ୍ରନଙ୍କୁ ଅଟକ ରଖାଯାଇଥିଲା। ଗଣତନ୍ତ୍ରକୁ ହତ୍ୟା କରାଯାଉଛି ବୋଲି ସେ ଅଟକ ରହିବା ପୂର୍ବରୁ କହିଥିଲେ। ସଚିବାଳୟରେ ଅଗ୍ନିକାଣ୍ଡରେ ପ୍ରଭାବିତ ହୋଇଥିବା ସ୍ଥାନଗୁଡିକର ଫୋରେନସିକ୍ ଯାଞ୍ଚ ପାଇଁ ପ୍ରଦର୍ଶନ କରୁଥିବା ବିଜେପି ନେତାମାନେ ଦାବି କରିଛନ୍ତି।
ସୂଚନା ଅନୁଯାୟୀ, ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା କିନ୍ତୁ ଅଳ୍ପ ସମୟ ମଧ୍ୟରେ ଅନେକ ଫାଇଲ ନଷ୍ଟ ହୋଇଯାଇଥିଲା। ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ପି ହନି କହିଛନ୍ତି ଯେ, ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଛି। ଏହା ସୁନା ଚୋରା ଚାଲାଣ ମାମଲାର ତଦନ୍ତ କରୁଥିବା ପ୍ରୋଟୋକଲ ଅଧିକାରୀଙ୍କ କାର୍ଯ୍ୟାଳୟକୁ କ୍ଷତି ପହଞ୍ଚାଇଛି।
ଏହା ମଧ୍ୟ ଅଭିଯୋଗ ହୋଇଛି ଯେ, ସଚିବାଳୟରେ ଉପସ୍ଥିତ ଥିବା ଏକ ଦଳ ଅପେକ୍ଷା କରି ରହିଥିଲେ ଏବଂ ଅଗ୍ନିଶମ ବିଭାଗର ଅଧିକାରୀ ସେଠାରେ ପହଞ୍ଚିବା ପର୍ଯ୍ୟନ୍ତ ନିଆଁ ଲିଭାଇବା ପାଇଁ ଉଦ୍ୟମ ଆରମ୍ଭ କରିନଥିଲେ। ଉଭୟ କଂଗ୍ରେସ ଏବଂ ବିଜେପି ଏହି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛନ୍ତି।