ଭୁବନେଶ୍ବର,୨୬/୧୧ : ଓଡ଼ିଶା ଅଗ୍ନିଶମ ସେବା ସଂଶୋଧନ ବିଲ ବିଧାନସଭାରେ ଆଜି ପାରିତ ହୋଇଯାଇଛି। ଏଥି ସହିତ ଚଳିତ ଶୀତକାଳୀନ ଅଧିବେଶନର ତୃତୀୟ ଦିନର ବିଧାନସଭା କାର୍ଯ୍ୟ ଶେଷ ହୋଇଯାଇଛି। ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗୃହକୁ ଆସନ୍ତା ସୋମବାର ଦିନ ସକାଳ ୧୦ଟା ୩୦ ପର୍ଯ୍ୟନ୍ତ ମୁଲତବି ରଖିଛନ୍ତି।
ସୂଚନାଯୋଗ୍ୟ, ଓଡ଼ିଶାରେ ଅଗ୍ନି ନିରୋଧ ଓ ଅଗ୍ନି ନିରାପତ୍ତା ବ୍ୟବସ୍ଥା ସୁଦୃଢ଼ କରିବା ନିମନ୍ତେ ଓଡ଼ିଶା ଅଗ୍ନିଶମ ସେବାର ଅଧିନିୟମ-୧୯୯୩ ପ୍ରଣୟନ କରାଯାଇ ଏଯାବତ କାର୍ଯ୍ୟକାରୀ ହୋଇ ଆସୁଅଛି। ଇତିମଧ୍ୟରେ ଅଗ୍ନିଶମ ସେବାର କାର୍ଯ୍ୟ ପରିସର, ଦାୟିତ୍ବବୋଧ ଆଶାତୀତ ଭାବେ ବୃଦ୍ଧି ହୋଇଅଛି। ପ୍ରାକୃତିକ ତଥା ମନୁଷ୍ୟକୃତ ବିପର୍ଯ୍ୟୟ ସମୟରେ ଅଗ୍ନିଶମ ବାହିନୀ ପ୍ରଥମେ ସେବା ଯୋଗାଇଥାନ୍ତି। ଏହି ପରିପ୍ରେକ୍ଷୀରେ ଭାରତ ସରକାର ଏକ ସଂଶୋଧନ ଆଦର୍ଶ ବିଲ୍ ପ୍ରସ୍ତୁତ କରି ସମସ୍ତ ରାଜ୍ୟମାନଙ୍କୁ ସୁପ୍ରଚଳିତ ଅଧିନିୟମ ତଥା ନିୟମାବଳିକୁ ଆବଶ୍ୟକ ମତେ ସଂଶୋଧନ କରିବା ନିମନ୍ତେ ଅନୁରୋଧ କରିଅଛନ୍ତି। ତଦନୁଯାଇ ଓଡିଶା ଅଗ୍ନିଶମ ସେବା ଅଧୁନିୟମ, ୧୯୯୩ର ସଂଶୋଧନ ନିମନ୍ତେ ଏକ ଚିଠା ବିଲ, ଯଥା ଓଡିଶା ଅଗ୍ନିଶମ ସେବା (ସଂଶୋଧନ ) ବିଲ, ୨୦୨୨, ନିମ୍ନଲିଖତ ବ୍ୟବସ୍ଥା ଥାଇ ପ୍ରସ୍ତୁତ କରାଯାଇଅଛି।
