ଭୁବନେଶ୍ୱର, ୨୫/୦୩ : ଆଜି ଠାରୁ ଆରମ୍ଭ ହୋଇଛି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତି ମଣତି । ପ୍ରଥମ ଦିନରେ ଚଳନ୍ତି ରତ୍ନଭଣ୍ଡାର ଗଣତି ମଣତି କରାଯାଇଛି । ଆସନ୍ତା ୬ ତାରିଖରେ ହେବ ଦ୍ୱିତୀୟ ପର୍ଯ୍ୟାୟ ଗଣତି । ଅତ୍ୟନ୍ତ ସ୍ବଚ୍ଛତା ,ସାଧୁତା ଓ କଡା ସୁରକ୍ଷା ମଧ୍ୟରେ ମହାପ୍ରଭୁଙ୍କ ନିତ୍ୟ ବ୍ୟବହୃତ ଅଳଙ୍କାର ଗୁଡିକର ହୋଇଛି ଓଜନ ଓ ଗଣତି । ପୂର୍ବ ସ୍ଥିରୀକୃତ ମାହେନ୍ଦ୍ର ବେଳା ଠିକ୍ ୧୨ ଟା ୯ ରେ ଭଣ୍ଡାର ଖୋଲି ଭିତରକୁ ଯାଇଥିଲେ ଟିମ୍ । ପ୍ରାୟ ୫ ଘଣ୍ଟା ର ଗଣତି ପ୍ରକ୍ରିୟା ପରେ ପ୍ରଥମ ଦିନର ଗଣତି କାର୍ଯ୍ୟ ଶେଷ ହୋଇଛି । ଭକ୍ତଙ୍କ ଆବେଗ ଓ ସରକାରଙ୍କ ମହତ୍ ଉଦ୍ଦେଶ୍ୟ ମଧ୍ୟରେ ରତ୍ନ ଅଳଙ୍କାର ମେଳକ ଆରମ୍ଭ ହୋଇଛି ପ୍ରକ୍ରିୟା । ଐତିହାସିକ ମୁହୂର୍ତ୍ତ ରେ ସିଂହଦ୍ୱାରରେ ସାଷ୍ଟାଙ୍ଗ ପ୍ରଣିପାତ କରି ଭିତରକୁ ଯାଇଥିଲେ ଟିମ୍ । ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ପତିତପାବନଙ୍କୁ ମୁଣ୍ଡିଆ ମାରି ଭିତରକୁ ପ୍ରବେଶ କରିଥିଲା ଟିମ । ସୁନା,ରୁପା ଓ ରତ୍ନକୁ ୩ ଭାଗରେ ପୃଥକ କରାଯାଇ ହୋଇଛି ଗଣତି ମଣତି। ହ୍ୟାଣ୍ଡେଲିଂ ଟିମର ସଦସ୍ୟ ଭଣ୍ଡାର ମେକାପ,ବଣିଆ ଓ ଜେମୋଲୋଜିଷ୍ଟ ଚଳନ୍ତି ଭଣ୍ଡାରରେ କରିଥିଲେ ଗଣତିମଣତି,ମେଳକ। କଷଟି ପଥର, ରତ୍ନ ଚିହ୍ନିବା ପାଇଁ ଲେନ୍ସ ଓ ଅଳଙ୍କାର ଓଜନ ମେସିନ୍ ସହ ସହ ଭିତରକୁ ଯାଇଥିଲେ ଶ୍ରୀମନ୍ଦିର ବଣିଆ । ଯାଞ୍ଚ ପରେ ସମସ୍ତ ଅଧିକୃତ ସଦସ୍ୟଙ୍କୁ ଛଡା ଯାଇଥିଲା। ରତ୍ନ ଗଣତି ସମୟରେ ଭିତର କାଠ ଦର୍ଶନ ବନ୍ଦ ରହିଥିଲା। ବାହାର କାଠରୁ ଭକ୍ତ କରିଥିଲେ ଦର୍ଶନ। ଆସନ୍ତା ୬ ତାରିଖରେ ହେବ ଦ୍ୱିତୀୟ ପର୍ଯ୍ୟାୟ ଗଣତି ।