ଆଜି ଖୁଦୁରୁକୁଣି ପ୍ରଥମ ପାଳି

ଭୁବନେଶ୍ୱର, ୧୦/୦୮ : ଆଜି ହେଉଛି ଭାଦ୍ରବ ମାସର ପ୍ରଥମ ରବିବାର। ଖୁଦୁରୁକୁଣୀ ଓଷାକୁ ନେଇ ଗାଁ ଗଣ୍ଡାରେ ଏବେ ଝିଅମାନେ ଲାଗି ପଡ଼ିଛନ୍ତି ସାଜସଜାରେ। ଏହିଦିନ ଝିଅ ମାନେ ଭୋରୁ ଭୋରୁ ଉଠି ଗାଁ ଗଣ୍ଡା ବୁଲି ଫୁଲ ତୋଳନ୍ତି। ଏହାପରେ ନଦୀ ବା ପୁଷ୍କରଣୀରେ ସ୍ନାନ କରି ସେଠାରେ ମାଟିରେ ଗୋଟିଏ ଦେଉଳ ତିଆରି କରି ଫୁଲରେ ସଜାଇ ପୂଜା କରନ୍ତି। ଏହାକୁ ବାଲୁକା ପୂଜା କୁହାଯାଏ। ଖୁଦୁରୁକୁଣୀ ଓଷା ଦିନ ଫୁଲରେ ତୋରଣ ତିଆରି କରି ଚାରିଆଡେ ସଜାଯାଇ ଥାଏ। ଦିନ ସାରା କୁଆଁରୀ ଝିଅ ମାନଙ୍କର ଏହି ସାଜସଜ୍ଜାରେ ସମୟ ବିତିବା ପରେ ସନ୍ଧ୍ୟା ବେଳରେ ମାଆଙ୍କ ପୂଜା ଆରମ୍ଭ ହୋଇଥାଏ। ସନ୍ଧ୍ୟାରେ ପୂଜା ଆରମ୍ଭ କରି ଖୁଦୁରୁକୁଣୀ ବ୍ରତ ପୁରାଣ ପଢ଼ାଯାଏ। ଶେଷରେ ମାଆ ମଙ୍ଗଳାଙ୍କ ଠାରେ ଭୋଗ ଲଗାଯାଏ। ପୂଜାରେ ଧୂପ ,ଦୀପ, ଶଙ୍ଖ, ହୁଳହୁଳି ମଧ୍ୟରେ ଠାକୁରାଣୀଙ୍କୁ ଖୁଦ ଭଜା, ଲିଆ, ଉଖୁଡ଼ା, କାକୁଡ଼ି ,ଖସା ଲଡୁ ଓ ନାନାଦି ଫଳରେ ଆଦି ଭୋଗ ଭାବରେ ଅର୍ପଣ କରିଥାନ୍ତି। ତେବେ ଖୁଦଭଜା ଠାକୁରାଣିଙ୍କର ସବୁଠୁ ପ୍ରିୟ ବୋଲି ମନେ କରାଯାଇଥାଏ ଓ ତାହାଙ୍କୁ “ଖୁଦରଙ୍କୁଣି” ବା ଖୁଦ ପାଇଁ ବାଇ ବୋଲି ଶ୍ରଦ୍ଧାରେ କୁହାଯାଇଥାଏ। ସେହିପରି ଏକ ସାତ ସାଧବ ଭାଇ ଓ ସେମାନଙ୍କ ଅଲିଅଳି ଭଉଣୀ ତଅପୋଇକୁ ଭାଉଜମାନେ ଯାତନା ଦେବା ଓ ଖୁଦୁରୁକୁଣିଙ୍କୁ ପୂଜି ସେ ସେଥିରୁ ମୁକ୍ତି ମିଳିବାକୁ ନେଇ ଏହି ଓଷାର ଆରମ୍ଭ। ଝିଅମାନେ ଦୂରରେ ଥିବା ଆତ୍ମୀୟ ଓ ମୁଖ୍ୟତଃ ଭାଇମାନଙ୍କର ମଙ୍ଗଳ ମନାସି ଏହି ଓଷା ପାଳିଥାନ୍ତି। ବିଶ୍ୱାସ ରହିଛି ଏହି ଓଷା କଲେ ମା ମଙ୍ଗଳ ସମସ୍ତ ମନସ୍କାମନା ପୂରଣ କରିଥାନ୍ତି।