ଭୁବନେଶ୍ୱର, ୦୫/୦୩ : ଭାରତରେ ପ୍ରଥମ ଥର ପାଇଁ କିଟ୍ ବିଶ୍ୱବିଦ୍ୟାଳୟରେ ଏଫ୍ଆଇଭିବି ବିଶ୍ୱ ବିଚ୍ ଭଲିବଲ୍ ଚାମ୍ପିୟନ୍ସିପ୍ ବୁଧବାର ଉଦ୍ଘାଟିତ ହୋଇଯାଇଛି । ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ କିଟ୍ ଦୂତୀ ଚାନ୍ଦ ଷ୍ଟାଡ଼ିୟମ୍ ରେ ଚାଲିବାକୁ ଥିବା ଏହି ଚାମ୍ପିୟନ୍ସିପରେ ୫୨ ଦେଶରରୁ ଖେଳାଳି ଅଂଶଗ୍ରହଣ କରିଛନ୍ତି । ଏଥିରେ ଅଲିମ୍ପିକ୍ ସ୍ୱର୍ଣ୍ଣପଦକ ବିଜେତାଙ୍କ ସମେତ ୩୦୬ ଖେଳାଳି ଓ ଅଫିସିଆଲ୍ ଯୋଗ ଦେଇଛନ୍ତି । ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଦର୍ଶନୀ ମ୍ୟାଚ୍ ଖେଳାଯାଇଥିଲା । ଉଦଘାଟନୀ ଉତ୍ସବରେ ଓଡ଼ିଶା ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମୁଖ୍ୟଅତିଥି ତଥା ଉଦ୍ଘାଟକ ଭାବେ ଯୋଗଦେଇ ଏହି ଉତ୍ସବକୁ କିଟ୍, ଓଡ଼ିଶା ରାଜ୍ୟ ଓ ସମଗ୍ର ଦେଶ ପାଇଁ ଏକ ଗର୍ବର ମୁହୂର୍ତ୍ତ ବୋଲି କହିଥିଲେ । ପ୍ରଥମ ଥର ପାଇଁ ଏକ ଭାରତୀୟ ବିଶ୍ୱବିଦ୍ୟାଳୟ ଏତେ ମର୍ଯ୍ୟାଦାଜନକ ଅନ୍ତର୍ଜାତୀୟ ବିଚ୍ ଭଲିବଲ୍ ପ୍ରତିଯୋଗିତା ଆୟୋଜନ କରିବା ନିଶ୍ଚିତ ଭାବେ ଖୁସିର ବିଷୟ ବୋଲି ସେ କହିଥିଲେ । ଏହି ଚାମ୍ପିଅନସିପ୍ ଆୟୋଜନ ଦିଗରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଉତ୍ସର୍ଗୀକୃତ ମନୋଭାବ ଓ ଦୃଷ୍ଟିକୋଣ ପାଇଁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଶ୍ରୀ ସାମନ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ ।
ସ୍ୱାଗତ ଭାଷଣ ଦେଇ ଶ୍ରୀ ସାମନ୍ତ କହିଲେ, ବିଶ୍ୱର ୫୨ଟି ବିଭିନ୍ନ ଦେଶରୁ ଆସିଥିବା ଖେଳାଳି ଓ କ୍ରୀଡ଼ା ପ୍ରତିନିଧିମାନେ ଭୁବନେଶ୍ୱରରେ ଏକତ୍ରିତ ହେବା କିଟ୍ ଓ ଓଡ଼ିଶା ପାଇଁ ଗର୍ବର ବିଷୟ । ଏହି ଚାମ୍ପିୟନ୍ସିପ୍ ଆୟୋଜନ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ସହଯୋଗ କରିଥିବାରୁ ଶ୍ରୀ ସାମନ୍ତ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏଫ୍ଆଇଭିବି ଟେକ୍ନିକାଲ ପ୍ରତିନିଧି ବ୍ଲେୟାର ହାରିସନ, କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ, କିଟ୍ କ୍ରୀଡ଼ା ମହାନିର୍ଦ୍ଦେଶକ ତଥା ଇଭେଣ୍ଟ ଡାଇରେକ୍ଟର ଡ. ଗଗନେନ୍ଦୁ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।