ଓଡ଼ିଶାର ୪ ରାଜ୍ୟସଭା ଆସନ ପାଇଁ ସରିଲା ନାମାଙ୍କନପତ୍ରର ଯାଞ୍ଚ : ମଇଦାନରେ ଅଛନ୍ତି ୫ ଯୋଦ୍ଧା

ଭୁବନେଶ୍ୱର, ୦୬/୦୩ : ଓଡ଼ିଶାର ୪ ରାଜ୍ୟସଭା ଆସନ ପାଇଁ ସରିଲା ନାମାଙ୍କନପତ୍ରର ଯାଞ୍ଚ। ଆଜି ଯାଞ୍ଚ ପରେ ମଇଦାନକୁ ଓହ୍ଲାଇଥିବା ୫ ମହାରଥୀଙ୍କ ପ୍ରାର୍ଥିପତ୍ର କାଏମ ରହିଛି। ରାଜ୍ୟସଭା ନିର୍ବାଚନ ପାଇଁ ବିଜେପିରୁ ରାଜ୍ୟ ସଭାପତି ମନମୋହନ ସାମଲ, ସୁଜିତ କୁମାର ଏବଂ ବିଜେଡିରୁ ସଂତୃପ୍ତ ମିଶ୍ରଙ୍କ ପ୍ରାର୍ଥିପତ୍ର କାଏମ ରହିଛି। ସେହିଭଳି ଚତୁର୍ଥ ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲା କରିଥିବା କମନ ପ୍ରାର୍ଥୀ ରାଜ୍ୟର ସୁନାମଧନ୍ୟ ଡାକ୍ତର ପ୍ରଫେସର ଦତ୍ତେଶ୍ୱର ହୋତା ପ୍ରାର୍ଥୀପତ୍ର ମଧ୍ୟ କାଏମ ରହିଛି। ଅନ୍ୟପଟେ ଏହି ଆସନ ପାଇଁ ବିଜେପି ସମର୍ଥନରେ ନାମାଙ୍କନ ଭରି ମଇଦାନକୁ ଓହ୍ଲାଇଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟ ପ୍ରାର୍ଥୀତ୍ବ କାଏମ ରହିଛି। ଯାଞ୍ଚ ପ୍ରକ୍ରିୟା ସମୟରେ ସମସ୍ତ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଠିକ୍ ଥିବା ଜଣାପଡ଼ିଛି। ମାର୍ଚ୍ଚ ୯ ତାରିଖ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଥିବାବେଳେ ୧୬ରେ ହେବ ଭୋଟ ଗ୍ରହଣ। ନିର୍ବାଚନରେ ଚତୁର୍ଥ ଆସନରେ ହେବ ରୋଚକ ଲଢେଇ। ବିଜେଡି ଓ କଂଗ୍ରେସର କମନ୍ କ୍ୟାଣ୍ଡିଡେଟ୍ ଦତ୍ତେଶ୍ଵର ହୋତା ଏବଂ ବିଜେପି ସମର୍ଥିତ ସ୍ଵାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କ ମଧ୍ୟରେ ଫାଇଟ୍ ଦେଖିବାକୁ ମିଳିବ।