ଖୋଲିଲା ହୀରାକୁଦର ୫ଟି ଗେଟ୍

ଭୁବନେଶ୍ୱର, ୧୭/୦୮ : ଆଜି ସକାଳେ ହୀରାକୁଦ ଡ୍ୟାମର ଆଉ ୫ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇଛି। ଏଥିସହିତ ବର୍ତ୍ତମାନ ଡ୍ୟାମର ମୋଟ ୭ଟି ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ଯେଉଁଥିରେ ବାମ ପାର୍ଶ୍ୱରେ ପାଞ୍ଚଟି ଏବଂ ଡାହାଣ ପାର୍ଶ୍ୱରୁ ଦୁଇଟି ଗେଟ୍ ଖୋଲା ରହିଛି। ପୂର୍ବରୁ ଦୁଇଟି ଗେଟ୍ ଖୋଲା ଥିଲା। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୯.୦୦ ଘନ ଫୁଟ ଥିଲା। ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ହାରାହାରି ୨ଲକ୍ଷ ୯ହଜାର ୧୬ କ୍ୟୁସେକ୍ ପାଣି ପ୍ରବେଶ କରୁଥିବା ବେଳେ ୬୬ ହଜାର କ୍ୟୁସେକ୍ ପାଣି ନିଷ୍କାସନ କରାଯାଉଛି। ହୀରାକୁଦରୁ ଅଧିକ ପାଣି ନିଷ୍କାସନ ହେଉଥିବାରୁ ମହାନଦୀ ଅବବାହିକାରେ ମଧ୍ୟ ଏହାର ପ୍ରଭାବ ପଡ଼ିପାରେ। ତେଣୁ ନଦୀକୂଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବା ସହ ପ୍ରଶାସନର ନିର୍ଦ୍ଦେଶ ମାନିବାକୁ ପରାମର୍ଶ ଦିଆଯାଇଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଓ ଗେଟ୍ ଖୋଲା ସ୍ଥିତି ଉପରେ ନିୟମିତ ନଜର ରଖାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅବପାତଟି ପ୍ରଥମେ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଏବଂ ପରେ ଉତ୍ତରପଶ୍ଚିମ ଦିଗକୁ ଗତି କରିବ। ଏହା ଗାଙ୍ଗେୟ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ବିହାର ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି। ଅବପାତର ପ୍ରଭାବରେ ଓଡ଼ିଶାର ଅନେକ ଅଞ୍ଚଳରେ ବର୍ଷାର ପ୍ରଭାବ ଜାରି ରହିବ।