ଭୁବନେଶ୍ୱର, ୨୮/୦୭ : ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ରାଜ୍ୟର ୬ଟି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବାଲେଶ୍ବର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର, ସୁନ୍ଦରଗଡ଼ ଓ କେନ୍ଦୁଝରରେ ବନ୍ୟା ଯୋଗୁ ୧୧ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ମୟୂରଭଞ୍ଜ ଓ ବାଲେଶ୍ବରରେ ବନ୍ୟା ପ୍ରକୋପ ଅଧିକ ଥିବାରୁ ୯ଟି ଆଶ୍ରୟସ୍ଥଳୀକୁ ପ୍ରାୟ ୧ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ବନ୍ୟା ପ୍ରଭାବିତ ଅଞ୍ଚଳରେ ସମସ୍ତଙ୍କୁ ରିଲିଫ ସାମଗ୍ରୀ ମିଳିବା ନେଇ ଜିଲ୍ଲାପାଳମାନେ ପଦକ୍ଷେପ ନେବାକୁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ନିର୍ଦ୍ଦେଶ ଦେଇଛନ୍ତି । ବାଲେଶ୍ବର ଜିଲ୍ଲା ଉପରେ ସ୍ବତନ୍ତ୍ର ନଜର ରହିଛି । କ୍ଷତିଗ୍ରସ୍ତ ଅଞ୍ଚଳରେ ରାତ୍ରକାଳୀନ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଅତିରିକ୍ତ ରିଲିଫ୍ କମିସନର ମନୀଷ ଅଗ୍ରୱାଲଙ୍କୁ ବାଲେଶ୍ୱର, ଭଦ୍ରକ ଓ ଯାଜପୁରରେ ପୁନରୁଦ୍ଧାର ଓ ରିଲିଫ୍ କାର୍ଯ୍ୟର ତଦାରଖ ପାଇଁ ପଠାଯାଇଛି । ଲୋକଙ୍କୁ ଉଦ୍ଧାର ପାଇଁ ବାଲେଶ୍ୱରରେ ୫ଟି ଓଡ୍ରାଫ୍ ଟିମ୍ ସହ ଗୋଟିଏ ଏନ୍ଡିଆର୍ଏଫ୍, ୨୬ଟି ଅଗ୍ନିଶମ ଓ ଜରୁରିକାଳୀନ ସେବା ବାହିନୀ ନିୟୋଜିତ ହୋଇଥିବାବେଳେ ମୟୂରଭଞ୍ଜରେ ଗୋଟିଏ ଓଡ୍ରାଫ୍ ଦଳ, ୨୩ଟି ଅଗ୍ନିଶମ ବାହିନୀ, ଭଦ୍ରକରେ ଗୋଟିଏ ଓଡ୍ରାଫ୍, ଗୋଟିଏ ଏନ୍ଡିଆର୍ଏଫ୍ ଓ ୧୩ଟି ଅଗ୍ନିଶମ ବାହିନୀ, ଯାଜପୁରରେ ଗୋଟିଏ ଓଡ୍ରାଫ୍ ଟିମ୍ ସହ ୧୪ଟି ଅଗ୍ନିଶମ ବାହିନୀ ସମେତ ଏହି ସବୁ ଜିଲ୍ଲାରେ ୧୦୬ଟି ବୋଟ୍ ମଧ୍ୟ ଉଦ୍ଧାର ଓ ରିଲିଫ୍ ବଣ୍ଟନ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।
