ଭୁବନେଶ୍ୱର, ୨୯/୦୭ : ଜଳକା ନଦୀର ଚତୁର୍ଥ ବନ୍ୟା ଉତ୍ତର ବାଲେଶ୍ବରବାସୀଙ୍କ ଦୁର୍ଦଶା ବଢ଼ାଇ ଦେଇଛି । ଏବେବି ପାଣି ଘେରରେ ଗାଁ । ଦେଢ ମାସ ଭିତରେ ଲଗାତାର ବନ୍ୟା ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ସମ୍ପୂର୍ଣ୍ଣ ଦୋହଲାଇ ଦେଇଛି । ଉଭୟ ନଦୀରେ ଜଳସ୍ତର ବିପଦ ସଙ୍କେତ ତଳେ ପ୍ରବାହିତ ହେଉଥିବା ବେଳେ ୪ଟି ବ୍ଲକର ୧୮ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଏବେବି ହଜାର ହଜାର ହେକ୍ଟର ଚାଷଜମିରେ ଲହଡି ମାରୁଛି ବନ୍ଯା ପାଣି ।
ଅତିରିକ୍ତ ଏସଆରସି ମନୀଷ ଅଗ୍ରୱାଲଙ୍କ ସମେତ ଜିଲ୍ଲାପାଳ ସୂର୍ଯ୍ଯବଂଶୀ ମୟୂରବିକାଶ ବିଭିନ୍ନ ବନ୍ଯା ପ୍ରଭାବିତ ଅଞ୍ଚଳ ଗସ୍ତ କରି ସ୍ଥିତି ସମୀକ୍ଷା କରିଥିଲେ । ଜଳସ୍ତର କମିଥିବା ବେଳେ ଲୋକଙ୍କ ଦୁର୍ଦ୍ଦଶା ବଢିଛି, ଲୋକ ଙ୍କ ଘରେ ପାଣି ପଶିଥିବାରୁ ସେମାନଙ୍କୁ ବାତ୍ଯା ଆଶ୍ରୟସ୍ଥଳୀରେ ରଖାଯାଇଛି । ବସ୍ତା, ବାଲିଆପାଳ , ଜଳେଶ୍ବର ଏବଂ ଭୋଗରାଇ ବ୍ଲକର ୫ ହଜାର ୧୯୨ ଗ୍ରାମବାସୀଙ୍କୁ ବାତ୍ଯା ଆଶ୍ରୟସ୍ଥଳୀରେ ରଖାଯାଇଥିଲା । ୧୬ଟି ପଞ୍ଚାୟତର ୪୫ଗାଁର ୧୮ ହଜାରରୁ ଉର୍ଧ୍ବ ଲୋକ ବନ୍ଯା ଦ୍ବାରା ପ୍ରଭାବିତ ହୋଇଛନି । ଆଜି ମୁଖ୍ଯମନ୍ତ୍ରୀ ଏବଂ ରାଜସ୍ବମନ୍ତ୍ରୀ ଆକାଶମାର୍ଗରୁ ବନ୍ଯାଞ୍ଚଳ ପରିଦର୍ଶନ କରିବାର କାର୍ଯ୍ଯକ୍ରମ ରହିଛି ।
Prev Post