ଖାଦ୍ୟ ସୁରକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ରାଜ୍ୟର ୪ଟି ଜିଲ୍ଲାରେ ଖାଦ୍ୟ ପରୀକ୍ଷାଗାର ନିର୍ମାଣ ପାଇଁ ଯୋଜନା ହୋଇଛି ଏବଂ ପୂର୍ତ୍ତ ବିଭାଗ ଉପରେ ଏହାର ନିର୍ମାଣ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ୪ଟି ପରୀକ୍ଷାଗାର ମଧ୍ୟରୁ ସୁନ୍ଦରଗଡ ଓ କେନ୍ଦୁଝରରେ ଆଞ୍ଚଳିକ ଖାଦ୍ୟ ପରୀକ୍ଷା ଲାବୋରାଟୋରୀ ଏବଂ ମୟୂରଭଞ୍ଜ ଓ ଯାଜପୁରରେ ଜିଲ୍ଲା ଖାଦ୍ୟ ପରୀକ୍ଷା ଲାବୋରାଟୋରୀ ନିର୍ମାଣ କରାଯିବ । ଏହିସବୁ ପ୍ରକଳ୍ପ ପାଇଁ ସର୍ଭେକାର୍ଯ୍ୟ ଶେଷ ହୋଇଥିବାବେଳେ ପୂର୍ତ୍ତ ବିଭାଗ ପରବର୍ତ୍ତୀ ପ୍ରକ୍ରିୟା ଆରମ୍ଭ କରିଛି । ସମ୍ପ୍ରତି ଖାଦ୍ୟ ସୁରକ୍ଷା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଥିବାରୁ ଏବଂ ଖାଦ୍ୟରେ ଅପମିଶ୍ରଣ ବୃଦ୍ଧି ପାଉଥିବାରୁ ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ।
