ସଂସଦ କ୍ୟାଣ୍ଟିନରେ ମହଙ୍ଗା ହେଲା ସାଂସଦଙ୍କ ଖାଦ୍ୟପେୟ

ନୂଆଦିଲ୍ଲୀ,୨୭/୧ : ଜାନୁଆରୀ ୨୯ ତାରିଖରୁ ଆରମ୍ଭ ହେବାକୁଥିବା ବଜେଟ ଅଧିବେଶନ ପୂର୍ବରୁ ଲୋକସଭା ଅଧ୍ୟକ୍ଷ ଓମ ବିରଲା ସଂସଦ କ୍ୟାଣ୍ଟିନରେ ମିଳୁଥିବା ସବସିଡି ବନ୍ଦ କରିଦେଇଛନ୍ତି । ଫଳରେ ସଂସଦ କ୍ୟାଣ୍ଟିନରେ ମିଳୁଥିବା ସମସ୍ତ ଖାଦ୍ୟପେୟ ମହଙ୍ଗା ହୋଇଯାଇଛି। ବର୍ତ୍ତମାନ ସାକାହାରୀ ଥାଳି ୧୦୦ ଟଙ୍କାରେ ମିଳିବା ସହିତ ଆମିଷ ବଫେଟ୍ ୭୦୦ ଟଙ୍କା ମିଳିବ ।

ସୂଚନାଯୋଗ୍ୟ ଯେ, ଲୋକସଭା ଅଧ୍ୟକ୍ଷ ଓମ୍ ବିରଲା ମଙ୍ଗଳବାର ଦିନ କହିଥିଲେ ଯେ ସଂସଦ କ୍ୟାଣ୍ଟିନରେ ସାଂସଦ ଓ ଅନ୍ୟମାନଙ୍କୁ ଭୋଜନରେ ମିଳୁଥିବା ସବସିଡି ବନ୍ଦ କରିଦିଆଯାଇଛି। ଯାହାଫଳରେ କ୍ୟାଣ୍ଟିନରେ ଖାଇବା ବର୍ତ୍ତମାନ ମହଙ୍ଗା ହୋଇଛି।

କିନ୍ତୁ ସବସିଡି ବନ୍ଦ କରିବା ପ୍ରସଙ୍ଗରେ କୁହାଯାଉଛି ଯେ ସବସିଡି ବନ୍ଦ କରିବା ଯୋଗୁଁ ଲୋକସଭା ସଚିବାଳୟକୁ ବାର୍ଷିକ ୮ କୋଟି ଟଙ୍କା ସଞ୍ଚୟ ହେବ। ଓମ୍ ବିରଲା କହିଛନ୍ତି ସଂସଦ କ୍ୟାଣ୍ଟିନ ବର୍ତ୍ତମାନ ଭାରତୀୟ ପର୍ଯ୍ୟଟନ ବିକାଶ ନିଗମ ସଞ୍ଚାଳନ କରିବ ଯାହା ପୂର୍ବରୁ ଉତ୍ତର ରେଲୱେ ସଞ୍ଚାଳନ କରୁଥିଲା।