୩ ବାର୍‌ହାଙ୍କ ମୃତଦେହ ଜବତ, ୧୧ ଶିକାରୀ ଗିରଫ

ଭୁବନେଶ୍ୱର, ୦୭/୧୧ : ଦେବଗଡ଼ ବନାଞ୍ଚଳ ଓ ଦେବଗଡ଼ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ସୁନାମୁଣ୍ଡା ଖସଡ଼ା ଜଙ୍ଗଲରୁ ୩ଟି ଜଙ୍ଗଲୀ ବାର୍‌ହାଙ୍କର ମୃତଦେହ ଜବତ କରାଯାଇଛି। ସେହିପରି ଏ ଶିକାରରେ ବ୍ୟବହୃତ ଜିଆଇ ତାର, ବିଦ୍ୟୁତତାର ଏବଂ କାଚ ବୋତଲ ଆଦି ଜବତ କରାଯିବା ସହ ଏ ଘଟଣାରେ ସମ୍ପୃକ୍ତ ୧୧ ଜଣ ଶିକାରୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଅନ୍ୟ ଦିନଗୁଡିକ ଭଳି ଗୁରୁବାର ବିଳମ୍ବିତ ରାତ୍ରିରେ ମଧ୍ୟ ଦେବଗଡ଼ ବନ ବିଭାଗ ପକ୍ଷରୁ ସୁନାମୁଣ୍ଡା ଖସଡା ଜଙ୍ଗଲ ଓ ଆଖପାଖ ଅଞ୍ଚଳରେ ରାତ୍ରକାଳୀନ ପାଟ୍ରୋଲିଂ କରାଯାଉଥିଲା। ଏହି ସମୟରେ ବେଆଇନ ଭାବେ ଜଙ୍ଗଲ ମଧ୍ୟକୁ ବିଦ୍ୟୁତତାର ବିଛାଯାଇଥିବା ଏବଂ କେତେକ ଶିକାରୀ ଜଙ୍ଗଲ ପାର୍ଶ୍ୱରେ ଲୁଚି ରହିଥିବା ବନ ବିଭାଗ କର୍ମଚାରୀମାନେ ଦେଖିବାକୁ ପାଇଥିଲେ। ବନ ବିଭାଗ କର୍ମଚାରୀମାନେ ସେମାନଙ୍କୁ କାବୁ କରିବା ସହ ପଚରାଉଚରା କରିବାରୁ ବିଦ୍ୟୁତତାର ସଂଯୋଗ କରି ସେମାନେ ୩ଟି ଜଙ୍ଗଲୀ ବାର୍‌ହା ଶିକାର କରିଥିବା ଉତ୍ତର ଦଇଥିଲେ। ଫଳରେ ବନ ବିଭାଗ ପକ୍ଷରୁ ଯାଞ୍ଚ କରାଯାଇ ଜଙ୍ଗଲ ମଧ୍ୟରୁ ଉକ୍ତଟି ମୃତ ବାର୍‌ହାଙ୍କୁ ମୃତଦେହ ସହିତ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଥିଲା। ଏ ଘଟଣାରେ ସମ୍ପୃକ୍ତ ୧୧ ଜଣଙ୍କୁ ଘଟଣାସ୍ଥଳରୁ କାବୁ କରାଇ ଦେବଗଡ଼ ବନାଞ୍ଚଳ କାର୍ଯ୍ୟାଳୟକୁ ଅଣାଯାଇଥିଲା। ପଚରାଉଚରା ସମୟରେ ସେମାନେ ସୁନା ମୁଣ୍ଡା ଗ୍ରାମର ସୁଶାନ୍ତ କାଲୋ(୩୨), ସୁଜିତ ସାହୁ(୩୫), ବୈରାଗୀ ବେହେରା(୨୦), ଜିତୁ ବେହେରା(୨୦), ଶୁକୃ ନାୟକ(୨୭), ନିକଟସ୍ଥ କଳାମାଟି ଗ୍ରାମର ଦର୍ଶନ ବୁଡ଼ା(୪୫), ଦେବଗଡ଼ର ଦେବେନ୍ଦ୍ର ପାତ୍ର(୨୫) ଲଇମୁରା ଥାନାଞ୍ଚଳ ଝରାଗୋଗୁଆ ଗ୍ରାମର ସଞ୍ଜୟ ବେହେରା(୩୨), ଲଇମୁରା ଥାନାଞ୍ଚଳ ଝରାଗୋଗୁଆ ଗ୍ରାମର ଉତ୍ତମ ପେଣ୍ଠେଇ(୨୦) , ଦେବଗଡ଼ ଥାନା ଶୁଳିଆ ଗ୍ରାମର ରାଜକିଶୋର ନାୟକ(୪୫) ଓ ଲଇମୁରା ଥାନାଞ୍ଚଳ ଝରାଗୋଗୁଆ ଗ୍ରାମର ସୁନୀଲ ମୁଣ୍ଡା(୨୬) ବୋଲି ନିଜ ନିଜର ପରିଚୟ ଦେବା ସହ ବିଦ୍ୟୁତ୍‌ ଖୁଣ୍ଟରୁ ଜିଆଇ ତାର ସହାୟତାରେ ବେଆଇନ ହୁକିଂ କରି ବାର୍‌ହା ତିନୋଟିଙ୍କୁ ଶିକାର କରିଥିବା ସ୍ବୀକାର କରିଥିଲେ।