ନୂଆଦିଲ୍ଲୀ,୨/୯: ଭାଜପାର ପୂର୍ବତନ ରାଜ୍ୟସଭା ସାଂସଦ ଏବଂ ଜଣେ ବିଶିଷ୍ଟ ସାମ୍ବାଦିକ ଚନ୍ଦନ ମିତ୍ରଙ୍କର ବୁଧବାର ବିଳମ୍ବିତ ରାତିରେ ପରଲୋକ ଘଟିଛି। ତାଙ୍କର ପରଲୋକ ସମ୍ପର୍କରେ ପୁତ୍ର କୁଶାନ ମିତ୍ର ସୂଚନା ଦେଇଛନ୍ତି। ତାଙ୍କୁ ୬୫ ବର୍ଷ ହୋଇଥିଲା। ଚନ୍ଦନ ମିତ୍ର ୨୦୦୩ ଅଗଷ୍ଟରୁ ୨୦୦୯ ପର୍ଯ୍ୟନ୍ତ ଭାଜପା ପକ୍ଷରୁ ରାଜ୍ୟସଭାକୁ ସାଂସଦ ଭାବରେ ମନୋନୀତ ହୋଇଥିଲେ। ଚନ୍ଦନ ମିତ୍ର ଦୈନିକ ପ୍ରତିଷ୍ଠିତ ଖବରକାଗଜ ‘ପାୟୋନିୟର’ର ସମ୍ପାଦକ ଓ ପ୍ରକାଶକ ଭାବେ କାର୍ଯ୍ୟ କରିଥିଲେ। ତେବେ ସେ ୨୦୧୮ ଜୁଲାଇ ୧୮ରେ ଭାଜପାରୁ ଇସ୍ତଫା ଦେଇ ତୃଣମୂଳ କଂଗ୍ରେସରେ ଯୋଗଦେଇଥିଲେ।
ତାଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି। ଚନ୍ଦନ ମିତ୍ର ନିଜର ବୁଦ୍ଧିମତ୍ତା ଏବଂ ଅନ୍ତର୍ଦୃଷ୍ଟି ପାଇଁ ଚିର ସ୍ମରଣୀୟ ହୋଇ ରହିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏଥିସହିତ ସେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ରାଜ୍ୟସଭା ସାଂସଦ ସ୍ୱପନ ଦାସଗୁପ୍ତା କହିଛନ୍ତି, ସେ ନିଜର ଜଣେ ଘନିଷ୍ଠ ବନ୍ଧୁ, ପାୟୋନିୟରର ସମ୍ପାଦକ ଚନ୍ଦନ ମିତ୍ରଙ୍କୁ ହରାଇଛନ୍ତି। ସେ ଓ ଚନ୍ଦନ ମିତ୍ର ଏକାଠି ଲା ମାର୍ଟିନିଏରରେ ଶିକ୍ଷାଲାଭ କରିବା ପରେ ସେଣ୍ଟ ଷ୍ଟିଫେନ୍ସ ଏବଂ ଅକ୍ସଫୋର୍ଡକୁ ପାଠ ପଢିବାକୁ ଯାଇଥିଲେ। ଦୁହେଁ ଏକ ସମୟରେ ସମ୍ବାଦିକତା ଆରମ୍ଭ କରିଥିଲେ। ଚନ୍ଦନ ମିତ୍ରଙ୍କ ବିୟୋଗରେ କଂଗ୍ରେସ ନେତା ଶଶି ଥରୁର ମଧ୍ୟ ଶୋକ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ଚନ୍ଦନ ମିତ୍ରଙ୍କ ସହିତ ତାଙ୍କର ବ୍ୟକ୍ତିଗତ ନିବିଡ ସମ୍ପର୍କ ରହିଥିଲା।