ନୂଆଦିଲ୍ଲୀ, ୧୬/୦୬ : ଥାନାରେ ହାଜର ହେଲେ ପୂର୍ବତନ ଭାରତୀୟ କ୍ରିକେଟର ତଥା ବିସିସିଆଇ ପୂର୍ବତନ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି । ମାନହାନି ହୋଇଥିବା ଅଭିଯୋଗ ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଗାଙ୍ଗୁଲି । ସେ ଅଭଯୋଗ କରିଛନ୍ତି ଯେ, ସୋସିଆଲ ମିଡିଆରେ ନିରନ୍ତର ଅପମାନଜନକ ଏବଂ ବିଭ୍ରାନ୍ତକର ପୋଷ୍ଟ ମାଧ୍ୟମରେ ତାଙ୍କ ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରାଯାଉଛି । ଗାଙ୍ଗୁଲି ଠାକୁରପୁକୁର ପୁଲିସ୍ ଷ୍ଟେସନରେ ଏକ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି । ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ସୌରଭ ଗାଙ୍ଗୁଲି ଅଭିଯୋଗରେ ‘ସୌରଭ ଗାଙ୍ଗୁଲି ଫ୍ୟାନ୍ସ’ ନାମକ ଏକ ଫେସବୁକ୍ ପେଜ ବିଷୟରେ କହିଛନ୍ତି । ଅଭିଯୋଗ ଅନୁଯାୟୀ, ଏହି ପେଜରେ ୩୬ ଲକ୍ଷ ଫଲୋଅର୍ସ ଅଛନ୍ତି । ପେଜ୍ ଗାଙ୍ଗୁଲିଙ୍କ ସରକାରୀ ପ୍ରଶଂସକ ଭାବେ ଦାବି କରୁଛି । ଏହି ପେଜରେ ଲଗାତାର ଏପରି ବାର୍ତ୍ତା ପୋଷ୍ଟ କରୁଛି, ଯାହା ତାଙ୍କ ବିରୋଧରେ ନକରାତ୍ମକ ଜନମତ ସୃଷ୍ଟି କରୁଛି । ତାଙ୍କ ବ୍ୟକ୍ତିଗତ ପ୍ରତିଷ୍ଠାକୁ କ୍ଷୁର୍ଣ୍ଣ କରିବାକୁ ଚେଷ୍ଟା କରାଯାଉଛି । ଏହି ଫେସବୁକ ପେଜରେ ଗୁରୁତ୍ୱପୂର୍ଣ୍ଣ ବିବରଣୀ ସେୟାର କରିଛନ୍ତି । ଏକ କ୍ରୀଡା ୱେସାଇଟ୍ ମଧ୍ୟ ରହିଛି । ଦାଦା ସୌରଭ ଗାଙ୍ଗୁଲି ସ୍ପଷ୍ଟ କରିଛନ୍ତି ଯେ, ଜଣେ ଜନପ୍ରତିନିଧି ଭାବରେ ମୁଁ ସମ୍ପୂର୍ଣ୍ଣ ବୁଝୁଛି ଯେ, ଜନମତ ଏବଂ ସମାଲୋଚନା ସାର୍ବଜନୀନ ଜୀବନର ଅଂଶ । ମୋର ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ ବିଭ୍ରାନ୍ତିକର, ମାନହାନିଜନକ ଏବଂ କ୍ଷତିକାରଣ ବିଷୟବସ୍ତୁ ପ୍ରସାରଣ ଗ୍ରହଣୀୟ ନୁହେଁ ଏବଂ ଉପଯୁକ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଜରୁରୀ । ସୌରଭ ଗାଙ୍ଗୁଲି ଏହି ଫେସବୁକ୍ ପେଜ୍ ଚଳାଉଥିବା ବ୍ୟକ୍ତି କିମ୍ବା ଗୋଷ୍ଠୀ ବିରୋଧରେ ଏଫଆଇଆର ଦେଇଛନ୍ତି । ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସକୁ ନିବେଦନ କରିଛନ୍ତି । ପୋଲିସ ବର୍ତ୍ତମାନ ସମ୍ପୂର୍ଣ୍ଣ ମାମଲା ଏବଂ ଅଭିଯୋଗର ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛି ।