ମହିଳା ବକ୍ସର ସରିତା ଦେବୀଙ୍କୁ କରୋନା

ମୁମ୍ବାଇ, ୧୮/୮ : ଭାରତର ଅନ୍ୟତମ ସଫଳ ମହିଳା ବକ୍ସର ଏଲ୍‌ ସରିତା ଦେବୀ କରୋନା ସଂକ୍ରମିତ ହୋଇଛନ୍ତି । ତାଙ୍କ ସ୍ୱାମୀ ଚଙ୍ଗଥାମ ଥୋଇବା ସିଂହ ମଧ୍ୟ ସଂକ୍ରମିତ ହୋଇଛନ୍ତି । ଗତ କିଛି ଦିନ ଥଣ୍ଡା ଲାଗି ରହିବା ଫଳରେ ଉଭୟ କୋଭିଡ୍‌ ଟେଷ୍ଟ କରାଇଥିଲେ। ସେମାନଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ଉଭୟଙ୍କ କୋଭିଡ୍‌ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଛି । ତେବେ ସେମାନଙ୍କ ପରିବାରର ଅନ୍ୟ କୌଣସି ସଦସ୍ୟ କରୋନା ସଂକ୍ରମିତ ହୋଇ ନଥିବା ରିପୋର୍ଟରୁ ଜଣାପଡ଼ିଛି ।

ସରିତା ଦେବୀ ବିଶ୍ୱ ଚାମ୍ପିଅନ୍‌ସିପ୍‌ରେ ୩ଟି ପଦକ ହାସଲ କରିଛନ୍ତି। ୨୦୦୬ରେ ସେ ସ୍ଵର୍ଣ୍ଣ ପଦକ, ୨୦୦୫ ଓ ୨୦୦୮ରେ ବ୍ରୋଞ୍ଚ ପଦକ ଜିତିଥିଲେ। ସେ ଏସୀୟ ଚାମ୍ପିଅନ୍‌ସିପ୍‌ରେ ୫ଥର ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି। ୨୦୧୪ ଏସୀୟ କ୍ରୀଡ଼ାରେ ସେ ବ୍ରୋଞ୍ଜ ପଦକ ଜିତିଥିଲେ।