ବିଜେଡିର ଚାରି ନେତା କରୋନା ପଜିଟିଭ୍, ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର, ୮/୫: ରାଜ୍ୟରେ କରୋନା ଆକ୍ରାନ୍ତରେ ନେତା, ମନ୍ତ୍ରୀ ଏବଂ ବିଧାୟକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଏହି କ୍ରମରେ ଶାସକ ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ମନ୍ତ୍ରୀ ପ୍ରତାପ ଜେନାଙ୍କ ସମେତ ଚାରି ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏ ନେଇ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଟ୍ଵିଟ୍ କରି ଏହାର ସୂଚନା ଦେଇଛନ୍ତି।

ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପଞ୍ଚାୟତିରାଜ ଏବଂ ଆଇନ ମନ୍ତ୍ରୀ ପ୍ରତାପ ଜେନା, ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ, ବିଧାୟକ ରଘୁନାଥ ଗମାଙ୍ଗ ଓ ଦଳର ବରିଷ୍ଠ ନେତା ତଥା ବିଧାୟକ ପ୍ରଫୁଲ୍ଲ ସାମଲ କୋଭିଡ୍ ସଂକ୍ରମିତ ହୋଇଛନ୍ତି। ସମସ୍ତଙ୍କ ଉତ୍ତମ ସ୍ଵାସ୍ଥ୍ୟ ଓ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜୟଶ୍ରୀ ରାଉତରାୟ କୋଭିଡ୍ ସଂକ୍ରମିତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଗତ ବର୍ଷ ମଧ୍ୟ ବିଜୟଶ୍ରୀ ରାଉତରାୟ କରୋନା ସଂକ୍ରମିତ ହୋଇଥିଲେ। ପ୍ରଫୁଲ ସାମଲ ହୋମ ଆଇସୋଲେସନରେ ରହିଥିବା ସୂଚନା ମିଳିଛି।