କିସ୍ର ୪ଜଣ ଛାତ୍ର ଭାରତୀୟ ସୀମା ସୁରକ୍ଷା ବାହିନୀ ଓ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ୍ ବାହିନୀରେ ନିଯୁକ୍ତି ପାଇଁ ମନୋନୀତ
ଭୁବନେଶ୍ୱର, ୧୦/୦୨ : କିସ୍ର ୪ଜଣ ଛାତ୍ର ଭାରତୀୟ ସୀମା ସୁରକ୍ଷା ବାହିନୀ ଓ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ୍ ବାହିନୀରେ ନିଯୁକ୍ତି ପାଇଁ ମନୋନୀତ ହୋଇଛନ୍ତି । କିସ୍ର ଦ୍ୱିତୀୟ ବର୍ଷ ବିଜ୍ଞାନ ସ୍ନାତକୋତ୍ତର ଛାତ୍ର ଗୁଣନିଧି କିଷାନ କେନ୍ଦ୍ରୀୟ ରିଜର୍ଭ ପୋଲିସ୍ ଫୋର୍ସ (ସିଆରପିଏଫ୍)ପାଇଁ ମନୋନୀତ ହୋଇଛନ୍ତି । ତାଙ୍କ ସହ ପ୍ରଥମ ବର୍ଷ ବାଣିଜ୍ୟ ସ୍ନାତକୋତ୍ତର ଛାତ୍ର ରଞ୍ଜନ ମାଝୀ ମଧ୍ୟ ସିଆରପିଏଫ୍ ପାଇଁ ସଫଳତାର ସହ ନିଯୁକ୍ତି ପ୍ରକ୍ରିୟାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିପରି ଦ୍ୱିତୀୟ ବର୍ଷ ବାଣିଜ୍ୟ ସ୍ନାତକୋତ୍ତର ଛାତ୍ର ଚିତ୍ରସେନ ମାଝୀ ସୀମା ସୁରକ୍ଷା ବାହିନୀ (ବି.ଏସ୍ .ଏଫ୍ .) ରେ ନିଯୁକ୍ତି ପାଇଁ ଯୋଗ୍ୟତା ହାସଲ କରିଥିବାବେଳେ ତୃତୀୟ ବର୍ଷ କଳା ସ୍ନାତକ ଛାତ୍ର ଅଜିତ ମାର୍ଡି ବି.ଏସ୍ . ଏଫ୍ . ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଚିତ୍ରସେନ ବଲାଙ୍ଗୀର ଜିଲ୍ଲା ଖାପ୍ରାଖୋଲ ବ୍ଲକର ତେଲେନପାଲି ଗାଁର ହୋଇଥିବାବେଳେ ଅଜିତ ମଲକାନଗିରି ଜିଲ୍ଲାର ସଦର ବ୍ଲକର ଚାଲନଗୁଡ଼ାରୁ ଆସି କିସ୍ ରେ ପାଠ ପଢ଼ୁଛନ୍ତି । ଏଥିରେ ଖୁସି ବ୍ୟକ୍ତ କରି କିଟ୍ ଏବଂ କିସ୍ ପ୍ରତିଷ୍ଠାତା ଡ ଅଚ୍ୟୁତ ସାମନ୍ତ ଏହି ଚାରିଜଣ ସଫଳ ଛାତ୍ରଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଏହି ଛାତ୍ରଙ୍କ ସଫଳତା କିସ୍ର ଅନ୍ୟ ଛାତ୍ରଛାତ୍ରୀଙ୍କୁ ଅନୁପ୍ରାଣିତ କରିବ ଓ ରାଷ୍ଟ୍ର ନିର୍ମାଣରେ ଅର୍ଥପୂର୍ଣ୍ଣ ଯୋଗଦାନ ରହିବ ବୋଲି ଡ. ସାମନ୍ତ କହିଛନ୍ତି।