ଆଜି ବିଧାନସଭା ଶୀତ ଅଧିବେଶନ, ଆଗତ ହେବ ଅତିରିକ୍ତ ବଜେଟ

ଭୁବନେଶ୍ୱର,୧/୧୨: ଆଜିଠାରୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହୋଇ ୩୧ ଡିସେମ୍ବର ଯାଏ ଚାଲିବ । ଏହି ୨୬ ଦିନିଆ କାର୍ଯ୍ୟଦିବସରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ ପାରିତ ହେବ । ଏଥର ବି ସମ୍ପୂର୍ଣ୍ଣ କୋଭିଡ କଟକଣା ଭିତରେ ଅନୁଷ୍ଠିତ ହେବ ବିଧାନସଭା ଅଧିବେଶନ । ଦିନକୁ ୫ ଘଣ୍ଟା ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ଚାଲିବ ।

ସକାଳ ସାଢ଼େ ୧୦ରୁ ଦିନ ସାଢ଼େ ୧ଟା ଓ ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଗୃହ ଚାଲିବ । ପ୍ରଥମ ଦିନରେ (ବୁଧବାର) ସକାଳ ୧୧ଟାରୁ ଗୃହ କାର୍ଯ୍ୟ ଆରମ୍ଭ ହେବ । ପ୍ରାରମ୍ଭିକ ଦିନରେ ଦିବଂଗତ ପୂର୍ବତନ ଉପବାଚସ୍ପତି ପ୍ରହଲ୍ଲାଦ ଦୋରାଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ ହେବ । ତାଙ୍କ ସମ୍ମାନରେ ଗୃହ କାର୍ଯ୍ୟ ସେଦିନ ଅପରାହ୍ନ ୫ଟା ପର୍ଯ୍ୟନ୍ତ ମୁଲତବୀ ରହିବ ।

ସେହିଦିନ ଅପରାହ୍ନ ୫ଟାରେ ଅତିରିକ୍ତ ବଜେଟ ଆଗତ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ବ୍ୟୟ ମଞ୍ଜୁରୀ ବିଲ୍‌ ଉପରେ ଆସନ୍ତା ୧୦ ତାରିଖରେ ହେବ ଆଲୋଚନା । ଏହି ଅଧିବେଶନରେ ନିୟମିତ ଭାବେ ଉଭୟ ତାରକା ଓ ଅଣତାରକା ଚିହ୍ନିତ ପ୍ରଶ୍ନମାନଙ୍କର ଉତ୍ତର ରଖାଯିବ । ଗୃହରେ ମୁଲତବୀ ପ୍ରସ୍ତାବ ମଧ୍ୟ ବିରୋଧୀ ଦଳ ତରଫରୁ ଆଗତ କରାଯାଇପାରିବ ।

କୋଭିଡ କଟକଣାରେ ପୂର୍ବ ଅଧିବେଶନ ଭଳି ବିଧାୟକମାନଙ୍କ ପାଇଁ ଆସନ ବ୍ୟବସ୍ଥା ରହିବ । ପ୍ରତିଦିନ ବିଧାନସଭାକୁ ଭୁବନେଶ୍ୱର ମହାନଗର ନିଗମ ତରଫରୁ ବିଶୋଧନ କରାଯିବ । ଗଣମାଧ୍ୟମ ପ୍ରତିନିଧିମାନେ ବିଧାନସଭା ସମ୍ମିଳନୀ କକ୍ଷରେ ରହିବେ । ଭର୍ଚୁଆଲରେ ବିଧାନସଭା ଗୃହ କାର୍ଯ୍ୟରେ ଯୋଡ଼ି ହେବା ପାଇଁ ଲୋକସେବା ଭବନର ଦ୍ୱିତୀୟ ମହଲା ସମ୍ମିଳନୀ କକ୍ଷ, ମୁଖ୍ୟମନ୍ତ୍ରୀଙ୍କ ଆବାସିକ କାର୍ଯ୍ୟାଳୟ, ବିରୋଧୀ ଦଳ ନେତା, ବିଧାୟକଙ୍କ ସମ୍ମିଳନୀ କକ୍ଷ, ଜିଲ୍ଲାପାଳଙ୍କ ଭିଡିଓ ସମ୍ମିଳନୀ କକ୍ଷରେ ଉପସ୍ଥିତ ରହି ଯୋଗ ଦେଇପାରିବେ ।

ବିଧାନସଭାରେ ପ୍ରବେଶ ପାଇଁ ବିଧାୟକ, ତାଙ୍କ ଡ୍ରାଇଭର ଓ ସୁରକ୍ଷା କର୍ମୀ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କ କୋଭିଡ୍‌ ପରୀକ୍ଷା କରାଯାଇଥିଲା । ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ହସ୍ତଗତ ସମସ୍ତ ରିପୋର୍ଟ ନେଗେଟିଭ ଥିବା ଜଣାପଡ଼ିଛି ।