ସେଞ୍ଚୁରିୟାନ ବିଶ୍ୱ ବିଦ୍ୟାଳୟର ୮ମ ସମାବର୍ତ୍ତନ ଉତ୍ସବ : ଛାତ୍ରଛାତ୍ରୀମାନେ ସମଭାବାପନ୍ନ ବିଶ୍ୱ ଗଠନ କରିବାକୁ ରାଜ୍ୟ ପାଳଙ୍କ ଆହ୍ୱାନ
ଭୁବନେଶ୍ୱର : ଛାତ୍ରଛାତ୍ରୀମାନେ ସମଭାବାପନ୍ନ ବିଶ୍ୱ ଗଠନ କରିବା ଲାଗି ଆଗେଇ ଆସିବାକୁ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ ଆହ୍ୱାନ ଦେଇଛନ୍ତି । ଏକ ସ୍ଥାୟୀ ଓ ସମଭାବାପନ୍ନ ବିଶ୍ୱ ଗଠନ ହେଲେ ମାନବ ସମାଜ ସଫଳତା ଲାଭ କରିପାରିବ ବୋଲି ପ୍ରଫେସର ଲାଲ ସେଞ୍ଚୁରିଆନ ବିଶ୍ୱ ବିଦ୍ୟାଳୟର ୮ମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରକାଶ କରିଛନ୍ତି । ରାଜ୍ୟର ପ୍ରଥମ ସ୍କିଲ ବିଶ୍ୱ ବିଦ୍ୟାଳୟର ମାନ୍ୟତା ପାଇଥିବା ସି.ଉ.ଟି.ଏମ୍ ପକ୍ଷରୁ ବିକ୍ରମ ସରାବାଇ ସ୍ପେସ୍ ସେଣ୍ଟରର ନିର୍ଦ୍ଦେଶକ ଡଃ. ଶ୍ରୀଧର ପାନିକରଙ୍କୁ ସମ୍ମାନ ସୂଚକ ଡକ୍ଟରେଟ ଉପାଧି ପ୍ରଦାନ କରାଯାଇଥିଲା ।
ମହାମାରୀ ଚାଲିଥିବା ସତ୍ତ୍ୱେ ଛାତ୍ର-ଛାତ୍ରୀମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଭରରୁଆଲ୍ ମାଧ୍ୟମରେ ସମାବର୍ତ୍ତନ ଉତ୍ସବ ପାଳନ କରାଯାଇଥିଲା । ଏହି ଅବସରରେ ୩୨ ବିଭାଗର ୨୨ଶହ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଡିଗ୍ରୀ ପ୍ରଦାନ କରାଯାଇଥିଲା । ଏଥିସହ ୮ଜଣଙ୍କୁ ପିଏଚ୍ଡ଼ି ଡିଗ୍ରୀ, ୪୨ଟି ମେରିଟ ସାର୍ଟିଫିକେଟ ଓ ୧୦ଜଣଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଥିଲା । ଏହି ଅବସରରେ ବିଶ୍ୱ ବିଦ୍ୟାଳୟର କୂଳପତି ପ୍ରଫେସର ଡଃ. ସୁପ୍ରିୟା ପଟ୍ଟନାୟକ ୭୦ ପ୍ରତିଶତରୁ ଅଧିକ ଛାତ୍ରଛାତ୍ରୀଙ୍କୁ କିପରି ନିଯୁକ୍ତି ସୁଯୋଗ ପ୍ରଦାନ କରାଯାଇଛି ସେ ନେଇ ବିସ୍ତୁତ ତଥ୍ୟ ଉପସ୍ଥାପିତ କରିଥିଲେ । ଏହି ଅବସରରେ ବିଶ୍ୱ ବିଦ୍ୟାଳୟର ସଭାପତି ପ୍ରଫେସର ଡଃ. ମୁକ୍ତି କାନ୍ତ ମିଶ୍ର ଓ ଉପ-ସଭାପତି ପ୍ରଫେସର ଡ଼ି.ଏନ୍. ରାଓ ପ୍ରମୁଖ ବିଶ୍ୱ ବିଦ୍ୟାଳୟର ଆଭିମୁଖ୍ୟ ସଂପର୍କରେ ପ୍ରକାଶ କରିଥିଲେ । ସୂଚନାଯୋଗ୍ୟ ଯେ, ୨୦୧୦ ମସିହାରେ ଏହି ବିଶ୍ୱ ବିଦ୍ୟାଳୟକୁ ମାନ୍ୟତା ମିଳିଥିବା ବେଳେ ଏହା ନାକ୍ ଓ ଆଇସିଏଆର୍ ପକ୍ଷରୁ ମଧ୍ୟ ସ୍ୱୀକୃତି ଲାଭ କରିଛି ।