ଭୁବନେଶ୍ୱର,୨/୧୦: ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ୧୫୨ ତମ ଜୟନ୍ତୀ । ମହାତ୍ମା ଗାନ୍ଧୀ ୧୮୬୯ ମସିହାରେ ଗୁଜୁରାଟର ପୋରବନ୍ଦରରେ ଜନ୍ମଗ୍ରହଣ କରିଥିଲେ। ବ୍ରିଟିଶମାନଙ୍କ ଦ୍ୱାରା ଭାରତୀୟ ସମାଜରେ ଦାସତ୍ୱର ଶୃଙ୍ଖଳା ଭାଙ୍ଗିବା ପାଇଁ ସେ ଅହିଂସା ମାର୍ଗକୁ ଆପଣାଇଥିଲେ।
ମହାତ୍ମା ଗାନ୍ଧୀ ଅନ୍ୟାୟ ବିରୋଧରେ ସଂଘର୍ଷ କରିଥିଲେ । ସେ ଧାରଣା ଏବଂ ସତ୍ୟର ମାର୍ଗରେ ସର୍ବଦା ଯିବାକୁ କୁଣ୍ଠାବୋଧ କରିନଥିଲେ। ସତ୍ୟ ଓ ଅହିଂସାକୁ ନେଇ ସର୍ବଦା ବାପୁଙ୍କ ବିଚାର ସାରା ବିଶ୍ବରେ ମାର୍ଗଦର୍ଶନ କରିବା ସହ ପ୍ରେରଣା ଦେଇଥାଏ । ତାଙ୍କର ସେହି ବିଚାରକୁ ନେଇ ଅକ୍ଟୋବର ୨ ତାରିଖ ଦିନଟିକୁ ସାରା ବିଶ୍ୱରେ ଅନ୍ତରାଷ୍ଟ୍ରୀୟ ଅହିଂସା ଦିବସ ଭାବରେ ପାଳନ କରାଯାଏ । ଏହିଦିନ ଭାରତର ସ୍ଵାଧୀନତା ଦିବସ ଓ ଗଣତନ୍ତ୍ର ଦିବସ ଭଳି ଜାତୀୟ ଦିବସ ଭାବରେ ପାଳନ କରାଯାଏ ।
ଗାନ୍ଧୀ ଜୟନ୍ତୀରେ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକରେ ବିଭିନ୍ନ ପ୍ରତିଯୋଗିତା ହୋଇଥାଏ । ମହାତ୍ମା ଗାନ୍ଧୀଙ୍କ ବିଚାରଧାରା ତାଙ୍କୁ ସାରା ବିଶ୍ବରେ ଗୋଟିଏ ସ୍ଵତନ୍ତ୍ର ସ୍ଥାନ ଦେଇ ପାରିଛି । ତାଙ୍କର ନିଜ ଜନ୍ମ ଭୂମି ପ୍ରତି ନିଷ୍ଠା, କାର୍ଯ୍ୟ ଓ ଉଦାର ମନୋଭାବକୁ ଦେଖି ସମସ୍ତେ ତାଙ୍କୁ ବାପୁ ଡାକୁ ଥିଲେ । ଭାରତ ଯେତେବେଳେ ଇଂରେଜ ସରକାର ଅଧିନରେ ଥିଲା ସେତେବେଳେ ଆଗ ଧାଡ଼ିର ଯୋଦ୍ଧା ଭଳି ଇଂରେଜ ସରକାର ବିରୋଦ୍ଧରେ ଲଢି ଥିଲେ ।
‘ସତ୍ୟ ହିଁ ସବୁଠାରୁ ସ୍ବଳ୍ପ ଓ ବିନା ସମ୍ବଳରେ ହାସଲ କରାଯାଇପାରେ। ସତ୍ୟ ହିଁ ଈଶ୍ବର ଓ ଶ୍ରମ ହେଉଛି ତାଙ୍କର ଉପାସନା। ସତ୍ୟ ନିକଟରେ ପହଞ୍ଚିବା ଅର୍ଥ ଈଶ୍ବରଙ୍କ ନିକଟରେ ପହଞ୍ଚିବା। ସତ୍ୟର ନିକଟତର ହେବାର ମାର୍ଗ ହେଉଛି ଅହିଂସା। ମନ, ବଚନ କର୍ମରେ ଯେ ଯେତେ ଅହିଂସ, ସେ ସତ୍ୟର ସେତେ ବଡ଼ ଉପାସକ। ସତ୍ୟ ହେଉଛି ବଜ୍ରଠାରୁ କଠିନ ଓ ପଦ୍ମଫୁଲର ପାଖୁଡ଼ା ପରି କୋମଳ। ସତ୍ୟ ସାଧନା ଲାଗି ଧନର ଲୋଡ଼ା ନାହିଁ, ଲୋଡ଼ା ଅଛି କେବଳ ସଂକଳ୍ପବଦ୍ଧ ମନର।’ ଏ ଉକ୍ତି ହେଉଛି ଜାତିର ଜନକ ମହାତ୍ମା ଗାନ୍ଧୀଙ୍କର।