ଗଣେଶ ଚତୁର୍ଥୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୧୦/୯ : ଗଣେଶ ଚତୁର୍ଥୀ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।

ରାଷ୍ଟ୍ରପତି ଟ୍ୱିଟ ଯୋଗେ କହିଛନ୍ତି, ଗଣେଶ ଚତୁର୍ଥୀର ଶୁଭ ଅବସରରେ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭକାମନା। କୋଭିଡ-୧୯ ବିରୋଧରେ ଆମେ ଚଲାଇଥିବା ଉଦ୍ୟମକୁ ବିଘ୍ନହର୍ତା ଗଣେଶ ସଫଳ କରନ୍ତୁ। ସମସ୍ତଙ୍କୁ ସୁଖ ଏବଂ ଶାନ୍ତି ପ୍ରଦାନ କରନ୍ତୁ। ଆସନ୍ତୁ ଆମେ ସମସ୍ତେ କୋଭିଡ-ଅନୁକୂଳ ଆଚରଣ ସହ ଏହି ଉତ୍ସବ ପାଳନ କରିବା ବୋଲି ଟ୍ୱିଟରେ କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି,ଗଣେଶ ଚତୁର୍ଥୀ ପାଇଁ ଆପଣମାନଙ୍କୁ ଶୁଭେଚ୍ଛା। ଏହି ପବିତ୍ର ଉତ୍ସବ ପ୍ରତ୍ୟେକଙ୍କ ଜୀବନରେ ସୁଖ,ଶାନ୍ତି,ସମୃଦ୍ଧି ଏବଂ ସୁସ୍ୱାସ୍ଥ୍ୟ ଆଣୁ। ଗଣପତି ବାପ୍ପା ମୋର୍‍ୟା।

ସେହିପରି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଗଣେଶ ପୂଜା ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଭୁଙ୍କ କୃପାରୁ ସମସ୍ତଙ୍କ ଜୀବନ ନିରାମୟ ହେଉ ବୋଲି ବିଘ୍ନହର୍ତ୍ତାଙ୍କ ନିକଟରେ ରାଜ୍ୟପାଳ ପ୍ରାର୍ଥନା କରିଛନ୍ତି।

ସେହିପରି ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଟ୍ୱିଟ ଯୋଗେ ଗଣେଶ ଚତୁର୍ଥୀର ଶୁଭେଚ୍ଛା ଜଣାଇଛନ୍ତି। ପ୍ରଭୁ ଗଣେଶଙ୍କ ଆଶୀର୍ବାଦରେ ସମସ୍ତଙ୍କ ଜୀବନ ମଙ୍ଗଳମୟ ହେଉ ବୋଲି ଲେଖିଛନ୍ତି।