ନୂଆଦିଲ୍ଲୀ,୧୬/୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଗତ ସପ୍ତାହରେ ବାରାଣାସୀରେ ଉଦଘାଟିତ ହୋଇଥିଲା ବିଳାସମୟ ଜାହାଜ (କ୍ରୁଜ୍) ‘ଗଙ୍ଗା ବିଳାସ’ । ଗଙ୍ଗାନଦୀରେ ଆବଶ୍ୟକ ଗଭୀରତାରେ ପାଣି ନଥିବାରୁ ଜାହାଜଟି ଫସି ରହିଛି । ପର୍ଯ୍ୟଟକମାନଙ୍କୁ ପ୍ରତ୍ନତାତ୍ତ୍ୱିକ ସ୍ଥାନ ଚିରାଣ୍ଡ ପରିଦର୍ଶନ କରିବାକୁ ଉପକୂଳକୁ ନେଇଯିବା ବେଳେ ଡୋରିଗଞ୍ଜ ନିକଟରେ କମ୍ ପାଣି ହେତୁ କ୍ରୁଜଟି ଅଟକି ଯାଇଥିଲା ।
ଛାପ୍ରାର ୧୧ କିଲୋମିଟର ଦକ୍ଷିଣ ପୂର୍ବରେ ଥିବା ଡୋରିଗଞ୍ଜ ବଜାର ନିକଟରେ ଅବସ୍ଥିତ ଚିରାଣ୍ଡ ହେଉଛି ସରନ ଜିଲ୍ଲାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରତ୍ନତାତ୍ତ୍ୱିକ ସ୍ଥାନ । ଘାଗରା ନଦୀ କୂଳରେ ନିର୍ମିତ ସ୍ତୁପନୁମା ପରି ସ୍ଥାନଗୁଡିକ ହିନ୍ଦୁ, ବୌଦ୍ଧ ଏବଂ ମୁସଲମାନଙ୍କ ଇତିହାସ ସହିତ ଜଡିତ ଥିବା କୁହାଯାଏ । ଅଧିକାରୀମାନେ କହିଛନ୍ତି ଯେ ଉପକୂଳରେ କମ ପରିମାଣରେ ଜଳଥିବା ହେତୁ କ୍ରୁଜ୍ କୁ କୂଳକୁ ଆଣିବା କଷ୍ଟକର ମନେହେଉଛି ।
ସୂଚନା ପାଇବା ପରେ ବିହାର ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବାହିନୀର ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ପର୍ଯ୍ୟଟକମାନଙ୍କୁ ଏକ ଛୋଟ ଡଙ୍ଗା ମାଧ୍ୟମରେ ଉଦ୍ଧାର କରିଥିଲା । ଛପ୍ରା ପୁଲିସ ଅଧିକାରୀ ସତେନ୍ଦ୍ର ସିଂ କହିଛନ୍ତି ଯେ ଚିରାଣ୍ଡରେ ପର୍ଯ୍ୟଟକଙ୍କ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଇଛି ।
