୪୦ କେଜିରୁ ଅଧିକ ଗଞ୍ଜେଇ ଜବତ, ୫ ଗିରଫ

ଭଞ୍ଜନଗର : କନ୍ଧମାଳ ଜିଲ୍ଲା ଏବେ ଚୋରା ଗଞ୍ଜେଇ ଚାଷର ଭୂସର୍ଗ ପାଲଟିଛି। ଏହି ଜିଲ୍ଲାରୁ ସମଗ୍ର ରାଜ୍ୟ ଓ ରାଜ୍ୟ ବାହାରକୁ ବିପୁଳ ପରିମାଣରେ ଗଞ୍ଜେଇ ଚୋରା ଚାଲାଣ ହେଉଛି। ସେଥିପାଇଁ ପୁଲିସ୍‍ ଓ ଅବକାରୀ ବିଭାଗ ତରଫରୁ ଧରପଗଡ ପ୍ରକ୍ରିୟା ଜୋରଦାର ଚାଲୁ ରହିଛି। ଅଥଚ ଚୋରା ଗଞ୍ଜେଇ କାରବାର କମିବାର ନା’ ଧରୁନି। ଆଜି ଭଂଜନଗର ଠାରୁ ମାତ୍ର ୨୫ କି.ମି ଦୂର ଫୁଲବାଣୀ ରାସ୍ତାର ଦୂର୍ଗାପ୍ରସାଦ ଠାରେ ଗୋଟିଏ ବୋଲେରୋ ଓ ଗୋଟିଏ ମାରୁତି କାରରେ ୪୦.୫ କି.ଗ୍ରା ବୋଝେଇ ହୋଇ ଯାଉଥିବା ବେଳେ ପୁଲିସ୍‍ ଜବତ କରିଛି। ଉଭୟ ଗାଡିରେ ୫ ଜଣ ଗଞ୍ଜେଇ ମାଫିଆ କନ୍ଧମାଳ ଜିଲ୍ଲାରୁ ଭଂଜନଗର ଅଭିମୁଖେ ଆସି ଭୁବନେଶ୍ୱର ଅଭିମୁଖେ ଚୋରାରେ ଚାଲଣ କରୁଥିବା ବେଳେ ଭଂଜନଗର ପୁଲିସ୍‍ ଏମାନଙ୍କୁ କାବୁ କରିବାେରେ ସକ୍ଷମ ହୋଇଥିଲେ। ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁଙ୍କ ନେତୃତ୍ୱରେ ପୁଲିସ୍‍ ଟିମ୍‍ ଏମାନଙ୍କୁ ଗିରଫ କରିବା ସହ ଜବତ ଗଂଜେଇ ଓ ଗାଡି ଦୁଇଟିକୁ ଭଂଜନଗର ଥାନା ପରିସରକୁ ନେଇ ଆସିଥିଲେ। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଅଜିତ୍‍ କୁମାର ନାୟକ, ବେଲେଶ୍ୱର ଗଇନ୍ତିଆ, ଅରୁଣ ଦିଗାଲ, ବିପିନ ମଳ୍ଲିକ ଓ ଶମ୍ଭୁ ଦିଗାଲ ବୋଲି ପୁଲିସ୍‍ ପ୍ରକାଶ କରିଛି। ଏମାନଙ୍କର ସମସ୍ତଙ୍କ ଘର କନ୍ଧମାଳ ଜିଲ୍ଲା ବୋଲି ଜଣାପଡିଛି।