ଚୋରା ଚାଲାଣ ବେଳେ ଗଞ୍ଜେଇ ଜବତ, ଜଣେ ଗିରଫ

ଭଞ୍ଜନଗର, ୨୩/୧୦ : ଚୋରା ଚାଲାଣ ବେଳେ ଗଞ୍ଜାମ ଜିଲ୍ଲା ସୋରଡ଼ା ପୁଲିସ୍ ଆଜି ୪୭ କେଜି ୫୦୦ ଗ୍ରାମ୍ ଗଞ୍ଜେଇ ଜବତ କରିଛି। ଅସୁରବନ୍ଧ ଗ୍ରାମ ନିକଟ ଦାନ୍ତଲିଙ୍ଗି ଛକ ଠାରୁ ଏକ କାର୍‌ରେ ଚାଲାଣ ହେଉଥବାବେଳେ‌ ଗଞ୍ଜେଇ ଜବତ କରିବା ସହ ଚାଲାଣକାରୀକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଅଞ୍ଚଳର ଶେଷଦେବ ମାଲି।

ପୁଲିସ୍‌ର ସୂଚନା ପ୍ରକାରେ ଏସ୍‌ଆଇ ସୁନୀଲ କଣ୍ଡଗରୀ ଆଜି ସକାଳ ସମୟରେ ଦାନ୍ତିଲିଙ୍ଗ ଛକ ଠାରେ ଯାଞ୍ଚ କରୁଥିବା ସମୟରେ ଏକ କାର୍‌କୁ ଅଟକାଇ ଥିଲେ। ସେଠାରେ ସନ୍ଦେହ ହେବାରୁ ଗାଡି ଭିତର ଯାଞ୍ଚ କରିବା ସମୟରେ କାର୍‌ ଭିତରୁ ଗଞ୍ଜେଇ ବାହାରିଥିଲା। ଏହାପରେ ଜବତ ଗଞ୍ଜେଇ ଓ କାର୍‌ ସହ ଅଭିଯୁକ୍ତକୁ ଥାନାକୁ ଆଣିଥିଲେ। ଏନେଇ କେସ୍‌ ନଂ ୨୬୯/୨୦ରେ ଏନ୍‌ଡିପିଏସ୍‌ ଆକ୍ଟ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ସୂଚନା ପ୍ରଦାନ କରିଛନ୍ତି।