ଜୟପୁର: ରାଜସ୍ଥାନରେ ରାଜନୈତିକ ସଙ୍କଟ ଟଳିବାର ନାଁ ଧରୁନାହିଁ। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ମଙ୍ଗଳବାର ସକାଳୁ ତାଙ୍କ ବାସଭବନରେ ଏକ ବୈଠକ ଡକାଇଛନ୍ତି। ବିଧାନସଭା ଅଧିବେଶନ ଡାକିବା ପାଇଁ ରାଜ୍ୟପାଳ କଲରାଜ ମିଶ୍ର ରଖିଥିବା କିିଛି ସର୍ତ୍ତକୁ ନେଇ ଆଲୋଚନା କରିବାକୁ ଗେହଲଟ୍ ଏହି ବୈଠକ ଡାକିଥିବା ସୂଚନା ରହିଛି।
ସୂଚନାଯୋଗ୍ୟ, ଗେହଲଟ୍ ପୂର୍ବରୁ ଗଣମାଧ୍ୟମରେ କହିଥିଲେ ଯେ ଜୁଲାଇ ୩୧ ତାରିଖରେ ବିଧାନସଭା ଅଧିବେଶନ ଡାକିବାକୁ ସେ ଦେଇଥିବା ପ୍ରସ୍ତାବକୁ ରାଜ୍ୟପାଳ କଲରାଜ ମିଶ୍ର ଖଣ୍ଡନ କରିଥିଲେ। ଫ୍ଲୋର୍ ଟେଷ୍ଟ୍ ପାଇଁ ଆବଶ୍ୟକ ପଡ଼ିଲେ ଏକ ସର୍ଟ ନୋଟିସ୍ରେ ବିଧାନସଭା ଅଧିବେଶନ ଡକାଯିବ ବୋଲି କଲରାଜ କହିଥିଲେ।
ଉଲ୍ଲେଖଯୋଗ୍ୟ, କଂଗ୍ରେସ ଦଳର ବିଦ୍ରୋହୀ ନେତା ସଚିନ ପାଇଲଟଙ୍କ ସମେତ ୧୯ ଜଣ ବିଧାୟକଙ୍କ ବିଦ୍ରୋହ ହେତୁ ରାଜସ୍ଥାନରେ ରାଜନୈତିକ ସଂକଟ ଉପୁଜିଛି। ମୁଖ୍ୟମନ୍ତ୍ରୀ ଗେହଲଟ୍ଙ୍କ ନେତୃତ୍ବାଧୀନ କଂଗ୍ରେସ ସରକାର ଦଳର ସଂଖ୍ୟା ଗରିଷ୍ଠତା ପ୍ରମାଣ ଦେବାକୁ ବିଧାନସଭା ଅଧିବେଶନ ଡାକିବାକୁ ଚାହୁଁଥିଲେ ବି ରାଜ୍ୟପାଳ ରାଜି ହେଉନଥିବା ଅଭିଯୋଗ ହୋଇଛି। ପୂର୍ବରୁ କଂଗ୍ରେସକର୍ମୀମାନେ ରାଜସ୍ଥାନରେ ବିଧାନସଭା ଅଧିବେଶନ ପାଇଁ ରାଜ ଭବନ ସମେତ ରାଜ୍ୟ ରାଜଧାନୀର ପ୍ରମୁଖ ସ୍ଥାନମାନଙ୍କରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।