ଜୟପୁର : ରାଜସ୍ଥାନରେ ରାଜନୈତିକ ସଙ୍କଟ ଜାରି ରହିଛି। କଂଗ୍ରେସ ନେତା ସଚିନ ପାଇଲଟଙ୍କ ବିଦ୍ରୋହ ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ଙ୍କ ସରକାର ଟଳମଳ ସ୍ଥିତିରେ ରହିଛି। ମୁଖ୍ୟମନ୍ତ୍ରୀ ଆଜି ରାଜ୍ୟପାଳଙ୍କୁ ବିଧାନସଭା ଡାକିବା ପାଇଁ ଏକ ନୂଆ ପ୍ରସ୍ତାବ ଦେଇଛନ୍ତି। ଜୁଲାଇ ୩୧ ତାରିଖ ଦିନ କରୋନା ଭାଇରସ୍ ଏବଂ ଅନ୍ୟ ବିଲ୍ ଉପରେ ଚର୍ଚ୍ଚା କରିବାପାଇଁ ବିଧାନସଭା ଅଧିବେଶନ ଡକାଯିବାକୁ ଦାବି କରାଯାଇଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ରାଜ୍ୟପାଳଙ୍କୁ ପଠାଯାଇଥିବା ପ୍ରସ୍ତାବରେ ସଂଖ୍ୟାଗରିଷ୍ଠତା ପ୍ରମାଣ ଦେବା ସଂପର୍କରେ କିଛି ବି ଉଲ୍ଲେଖ ନାହିଁ।
ବିଧାନସଭା ଅଧିବେଶନ ଡକାଯିବା ପ୍ରସଙ୍ଗରେ ଏବେ ରାଜ୍ୟ ରାଜନୀତି ସରଗରମ ରହିଥିବା ବେଳେ କଂଗ୍ରେସ ଏବେ ରାଜ୍ୟପାଳଙ୍କ କ୍ଷମତା ପ୍ରସଙ୍ଗ ଉଠାଇ ବିଜେପିକୁ ଘେରିଛି। ତେବେ ବିଜେପି କହିଛି ଯେ କଂଗ୍ରେସରେ ବିଦ୍ରୋହ ସହିତ ଆମର କୌଣସି ସଂପର୍କ ନାହିଁ। ବିଧାନସଭା ବାଚସ୍ପତି ହ୍ବିପ୍ ଉଲ୍ଲଂଘନ ମାମଲାରେ ୧୯ ଜଣ କଂଗ୍ରେସ ବିଧାୟକଙ୍କୁ ଦେଇଥିବା ନୋଟିସ୍ ଉପରେ ଅଦାଲତଙ୍କ ରୋକ୍ ପରେ ଯଥାଶୀଘ୍ର ବିଧାନସଭା ଅଧିବେଶନ ଡକାଇ ଗେହଲଟ ସଂଖ୍ୟାଗରିଷ୍ଠତା ପ୍ରମାଣ ଦେବାକୁ ଚାହୁଛନ୍ତି। ବାଚସ୍ପତିଙ୍କ ଅଧିକାର ଏବଂ ଦଳବଦଳ ବିରୋଧ ଆଇନକୁ ଚ୍ୟାଲେଂଜ କରି ସୁପ୍ରିମ୍ କୋର୍ଟରେ ହୋଇଥିବା ଆବେଦନ ଉପରେ ଆସନ୍ତାକାଲି ଶୁଣାଣି ହେବ।
ଆଜି ବିଏସ୍ପି ନେତା ସତୀଶ ମିଶ୍ର ହ୍ବିପ୍ ଜାରି କରି ଦଳର ୬ ବିଧାୟକଙ୍କୁ କଂଗ୍ରେସକୁ ସମର୍ଥନ ନ କରିବା ପାଇଁ କହିଛନ୍ତି। ଆସ୍ଥା ଭୋଟ୍ ଲୋଡ଼ାଗଲେ କଂଗ୍ରେସ ସରକାର ବିରୋଧରେ ଭୋଟ୍ ଦେବାକୁ ବିଏସ୍ପି ହ୍ବିପ୍ ଜାରି କରିଥିବା ବେଳେ ଦଳର ସମସ୍ତ ବିଧାୟକ ଗତ ବର୍ଷ ସେପ୍ଟେମ୍ବରରୁ କଂଗ୍ରେସରେ ସାମିଲ ହୋଇଯାଇଛନ୍ତି।