କାନପୁର,୨୭/୯ : କାନପୁରରୁ ଏକ ଛତିଥରା ମାମଲା ସାମ୍ନାକୁ ଆସିଛି। କାନପୁର କଲ୍ୟାଣପୁର ସ୍ଥିତ ଗୁଲମୋହର ଆପାର୍ଟମେଣ୍ଟରେ ଦୁଷ୍କର୍ମ ପରେ ଯୁବତୀଙ୍କୁ ଆପାର୍ଟମେଣ୍ଟର ଦଶମ ମହଲାରୁ ଫିଙ୍ଗି ହତ୍ୟା କରାଯାଇଛି। ପୋଷ୍ଟମର୍ଟମ ରିପୋର୍ଟରୁ ଚକିତ କଲାଭଳି ଖୁଲାସା ହୋଇଛି। ଯୁବତୀଙ୍କ ସହ ବର୍ବରତା ପରେ ତାଙ୍କୁ ୧୦ ମହଲାରୁ ଫୋପାଡ଼ି ଦିଆଯାଇଥିଲା। ପୋଷ୍ଟମର୍ଟମ ରିପୋର୍ଟରେ ଯୁବତୀଙ୍କ ଶରୀରରେ ମୋଟ ୨୫ ଗମ୍ଭୀର ଆଘାତ ଚିହ୍ନ ମିଳିଛି। ମୁଣ୍ଡର ହାଡ ୫ଟି ଜାଗାରେ ଭାଙ୍ଗି ଯାଇଛି। ଡାହାଣ ହାତରେ ୬ଟି ଗମ୍ଭୀର ଆଘାତ ରହିଛି। ବାମ ହାତରେ ୩ଟି ଆଘାତ ରହିଛି। ପେଟ ତଳୁ ଜଙ୍ଘ ଯାଏଁ ୪ଟି ଆଘାତ ଚିହ୍ନ ରହିଛି। ଦୁଇ କାନରୁ ରକ୍ତ ବାହାରିଥିଲା। ଓଠ ଓ ଛାତି ତଳେ ମଧ୍ୟ ଆଘାତ ଚିହ୍ନ ରହିଛି। ବ୍ଲାଡର ଫାଟି ଯାଇଛି। ପ୍ରାଇଭେଟ ପାର୍ଟ ବାହାରେ ଆଘାତ ଚିହ୍ନ ନାହିଁ କିନ୍ତୁ ଭିତରେ ଗର୍ଭାଶୟ ସମ୍ପୂର୍ଣ୍ଣ ଆହତ ହୋଇଛି। ଅଧିକ ରକ୍ତସ୍ରାବ ଯୋଗୁଁ ମୃତ୍ୟୁ ହୋଇଥିବା ରିପୋର୍ଟରେ କୁହାଯାଇଛି।
୩ ଜଣ ଡାକ୍ତରଙ୍କ ଟିମ ଯୁବତୀଙ୍କ ପୋଷ୍ଟମର୍ଟମ କରିଛି। ପୋଷ୍ଟମର୍ଟମର ଭିଡିଓଗ୍ରାଫି ମଧ୍ୟ କରାଯାଇଛି। ଗର୍ଭାଶୟ, ବ୍ଲାଡର ଆଦିର ଯାଞ୍ଚ ପାଇଁ ସ୍ଲାଇଡ ତିଆରି କରାଯାଇଛି। ବିଭିନ୍ନ ଯାଞ୍ଚ ପାଇଁ ମୋଟ ୧୭ ସ୍ଲାଇଡ କରାଯାଇଛି। ଯୁବତୀଙ୍କ ବୟସ ଜାଣିବାକୁ ହାଡ ଯାଞ୍ଚ ପାଇଁ ସୁରକ୍ଷିତ ରଖାଯାଇଛି। ପୋଷ୍ଟମର୍ଟମ ରିପୋର୍ଟରେ ସ୍ପଷ୍ଟ ଲେଖାଯାଇଛି ଯେ ଯୁବତୀଙ୍କ ଜିନ୍ସର ଚେନ ଖୋଲାଥିଲା। ଜିନ୍ସ ବଟମ ମଧ୍ୟ ଭାଙ୍ଗି ଯାଇଥିଲା । ପୋଷାକ ରକ୍ତ ଜୁଡୁବୁଡୁ ହୋଇଥିଲା । ରିପୋର୍ଟ ଦେଖି ସ୍ପଷ୍ଟ ଜଣାପଡୁଛି ଯେ ଯୁବତୀଙ୍କ ସହ କେତେ ବର୍ବର ଆଚରଣ କରାଯାଇଛି ଏବଂ ତାପରେ ତାଙ୍କୁ ଆପାର୍ଟମେଣ୍ଟର ଦଶମ ମହଲାରୁ ଫିଙ୍ଗି ଦିଆଯାଇଛି।