ନୂଆଦିଲ୍ଲୀ: ସୁନା ଦର ଦିନକୁ ଦିନ ଆକାଶଛୁଆଁ ହେବାରେ ଲାଗିଛି । ସମ୍ପ୍ରତି ୧୦ ଗ୍ରାମ ପିଛା ସୁନା ଦର ୬୦,୦୦୦ ଅତିକ୍ରମ କରିଛି । ଉଚ୍ଚ ଦର ଯୋଗୁ ଏଥର ଅକ୍ଷୟ ତୃତୀୟା ଫିକା ପଡ଼ିପାରେ । ଗହଣା ବ୍ୟବସାୟୀମାନଙ୍କ ଅନୁମାନ ମୁତାବକ, ଏ ବର୍ଷ ଅକ୍ଷୟ ତୃତୀୟାରେ ସୁନା ବିକ୍ରି ୨୦% ହ୍ରାସ ଘଟିପାରେ । ସମ୍ପ୍ରତି ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍ ଯୁକ୍ତ ସୁନା ଦର ୬୨,୬୬୦ ପାର୍ କରିଛି ।ଗ୍ରାହକମାନେ ଦରକୁ ନେଇ ଚିନ୍ତିତ ଅଛନ୍ତି ।
ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୫,୮୫୦ ଟଙ୍କା ଓ ୬୦ ,୯୩୦ ଟଙ୍କା ହୋଇଛି। ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୫୫,୮୫୦ ଟଙ୍କା ଓ ୬୦,୯୩୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୫୬,୦୦୦ ଟଙ୍କା ଓ ୬୧,୦୮୦ଟଙ୍କା ରହିଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୫୬,୫୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୬୧,୬୪୦ ଟଙ୍କା ଥିବା ରେକର୍ଡ ହୋଇଛି। ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୫୫,୮୫୦ ଟଙ୍କା ଓ ୬୦ ,୯୩୦ ଟଙ୍କା ରହିଛି। ସେହିପରି ରୁପା ମୂଲ ୭୭,୪୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।
ଅକ୍ଷୟ ତୃତୀୟାରେ ସୁନା କିଣିବାକୁ ଶୁଭ ବୋଲି ଗଣାଯାଏ । ଅଲ୍ ଇଣ୍ଡିଆ ଜେମ୍ ଆଣ୍ଡ୍ ଜୁଏଲେରି ଡୋମେଷ୍ଟିକ୍ କାଉନ୍ସିଲ୍(ଜିଜେସି) ଅଧ୍ୟକ୍ଷ ସୟମ ମେହେରା କହିଛନ୍ତି ଯେ, ପରିମାଣକୁ ଯଦି ହିସାବକୁ ନିଆଯାଏ ଗତବର୍ଷ ତୁଳନାରେ ଏଥର ଏହି ପବିତ୍ର ପର୍ବରେ ସୁନା ବିକ୍ରି ୨୦% କମିପାରେ । ଅକ୍ଷୟ ତୃତୀୟା ଅବସରରେ ଦେଶର ଦକ୍ଷିଣ ଭାଗରେ ୪୦% ବ୍ୟବସାୟ ହୋଇଥାଏ, ପଶ୍ଚିମରେ ୨୫%, ପୂର୍ବରେ ୨୦% ଏବଂ ଅବଶିଷ୍ଟ ୧୫% ଉତ୍ତର ଭାରତରେ ହୋଇଥାଏ । ଜିଜେସିର ପୂର୍ବତନ ଅଧ୍ୟକ୍ଷ ଏବଂ ଏନ୍ଏସି ଜୁଏଲର୍ସ(ଚେନ୍ନାଇ)ର ଏମ୍ଡି ଅନନ୍ଥ ପଦ୍ମନାଭନ କୁହନ୍ତି, ଉଚ୍ଚ ସୁନା ଦର ଅକ୍ଷୟ ତୃତୀୟା ବିକ୍ରିକୁ ପ୍ରଭାବିତ କରିପାରେ।
