ନୂଆଦିଲ୍ଲୀ : ଗୁଗୁଲ୍ର ମୂଳ କମ୍ପାନି ଆଲଫାବେଟ୍ର ସିଇଓ ସୁନ୍ଦର ପିଚାଇ ୨୦୨୨ ମସିହାରେ ୨୨.୬ କୋଟି ଡଲାର ବା ପ୍ରାୟ ୧୮୫୪ କୋଟି ଟଙ୍କା ଦରମା ପାଇଛନ୍ତି । ପିଚାଇଙ୍କ ଦରମା ଗୁଗୁଲ୍ କର୍ମଚାରୀଙ୍କ ହାରାହାରି ଦରମା ତୁଳନାରେ ୮୦୮ ଗୁଣ ଅଧିକ । ପିଚାଇଙ୍କ ଉକ୍ତ ଦରମାରେ କମ୍ପାନି ପ୍ରତି ୩ ବର୍ଷରେ ଥରେ ତାଙ୍କୁ ପ୍ରଦାନ କରୁଥିବା ଷ୍ଟକ୍ ଆୱାର୍ଡ ବାବଦ ଅର୍ଥ ସାମିଲ ରହିଛି ।
ଷ୍ଟକ୍ ଆୱାର୍ଡ ବାବଦରେ ତାଙ୍କୁ ୨୧.୮ କୋଟି ଡଲାର ମିଳିଛି । ଆମେରିକାର ସିକ୍ୟୁରିଟିଜ୍ ଆଣ୍ଡ୍ ଏକ୍ସଚେଞ୍ଜ କମିସନକୁ ଦିଆଯାଇଥିବା ସୂଚନା ଅନୁସାରେ ଷ୍ଟକ ଆୱାର୍ଡକୁ ବାଦ୍ ଦେଲେ ତାଙ୍କୁ ଗତ ବର୍ଷ ୬.୩ ଡଲାର ରାଶି ବେତନ ବାବଦରେ ମିଳିଛି । ପିଚାଇଙ୍କ ବ୍ୟକ୍ତିଗତ ସୁରକ୍ଷା ବାବଦରେ କମ୍ପାନି ୫.୯୪ ନିୟୁତ ଡଲାର ଖର୍ଚ୍ଚ କରିଛି ।
୫୦ ବର୍ଷୀୟ ପିଚାଇ ତାମିଲନାଡ଼ୁର ମଦୁରାଇରେ ଜନ୍ମ ହେବା ସହିତ ଆଇଆଇଟି ଖଡ଼ଗପୁରରେ ଶିକ୍ଷାଲାଭ କରିଛନ୍ତି । ବିଶ୍ୱରେ ଅଧିକ ବେତନ ପାଉଥିବା କମ୍ପାନିର ସିଇଓଙ୍କ ମଧ୍ୟରେ ପିଚାଇ ଅନ୍ୟତମ । ୨୦୧୯ରେ ମଧ୍ୟ ପିଚାଇଙ୍କୁ ଷ୍ଟକ ଆୱାର୍ଡ ମିଳିଥିଲା । କମ୍ପାନିର ବରିଷ୍ଠ ଉପସଭାପତି (ନଲେଜ ଆଣ୍ଡ୍ ଇନଫର୍ମେସନ) ପ୍ରଭାକର ରାଘବନ ଏବଂ ଚିଫ୍ ବିଜନେସ୍ ଅଫିସର ଫିଲିପ୍ ସିଣ୍ଡଲର ଉଭୟ ପ୍ରାୟ ୩୭ ନିୟୁତ ଡଲାର ଦରମା ୨୦୨୨ରେ ନେଇଛନ୍ତି । ସେହିଭଳି କମ୍ପାନିର ଚିଫ୍ ଫାଇନାନ୍ସିଆଲ ଅଫିସର ରୁଥ୍ ପୋରାଟ୍ ୨୪.୫ ନିୟୁତ ପାଇଛନ୍ତି ।