ପୀତବାସ ପଣ୍ଡା ହତ୍ୟା ମାମଲା : ୧୫ ଅଭିଯୁକ୍ତ କୋର୍ଟରେ ହେଲେ ହାଜର

ଭୁବନେଶ୍ୱର, ୦୩/୦୨ : ବହୁ ଚର୍ଚ୍ଚିତ ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ୧୫ ଅଭିଯୁକ୍ତ କୋର୍ଟରେ ହାଜର ହୋଇଛନ୍ତି। ପୂର୍ବତନ ବିଜେଡି ବିଧାୟକ ବିକ୍ରମ ପଣ୍ଡାଙ୍କ ସମେତ ୧୫ ଜଣ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଜିଲ୍ଲା କୋର୍ଟରେ ହାଜର କରାଯାଇଛି। ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ସାମିଲ ଥିବା ବିଜେଡି ନେତା ମଦନ ଦଳାଇ ଅସୁସ୍ଥତା କାରଣରୁ ଆଜି ଅଦାଲତରେ ହାଜର ହୋଇ ପାରିନାହାନ୍ତି। ସମସ୍ତ ଅଭିଯୁକ୍ତ ଅଦାଲତରେ ହାଜର ହୋଇନଥିବାରୁ ଜିଲ୍ଲା ଜଜ୍ ଆସନ୍ତା ୬ ତାରିଖକୁ ତାରିଖ ଘୁଞ୍ଚାଇ ଦେଇଛନ୍ତି। ପୁଣି ଥରେ ଦିନ ଧାର୍ଯ୍ୟ କରି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର ହେବା ପାଇଁ ନିର୍ଦେଶ ଦେଇଛନ୍ତି କୋର୍ଟ। ଆଗାମୀ ଦିନରେ ଏହି ମାମଲାର ବିଚାର ପ୍ରକ୍ରିୟା ଏଡିଜେ-୩ କୋର୍ଟରେ ହେବା ସହ ଚାର୍ଜଫ୍ରେମ ହୋଇ ବିଚାରଣ ଆରମ୍ଭ ହେବ ବୋଲି ଅଭିଯୁକ୍ତଙ୍କ ଓକିଲ ଦୀପକ ପଟ୍ଟନାୟକ କହିଛନ୍ତି। ତେବେ ପୂର୍ବରୁ ଏହି ମାମଲାର ଅଭିଯୁକ୍ତ ମାନେ ଅଦାଲତରେ ଜାମିନ ଆବେଦନ କରିଥିବାବେଳେ ତାହା ଖାରଜ ହୋଇଯାଇଛି। ଆଜି ସମସ୍ତ ଅଭିଯୁକ୍ତଙ୍କୁ ଜିଲା ଅଦାଲତରେ ହାଜର ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା। ସେହିପରି ବ୍ରହ୍ମପୁର ମଣ୍ଡଳ କାରାଗାରରେ ରହୁଥିବା ୧୫ ଜଣ ଅଭିଯୁକ୍ତ ଓ ଫୁଲବାଣୀ ମଣ୍ଡଳ କାରାଗାରରେ ରହୁଥିବା ବ୍ରହ୍ମପୁରର ପୂର୍ବତନ ମେୟର ଶିବ ଶଙ୍କର ଦାସ ଓରଫ ପିଣ୍ଟୁଙ୍କୁ କଡା ସୁରକ୍ଷା ବଳୟ ମଧ୍ୟରେ ଆଣି ଅଦାଲତରେ ହାଜର କରାଯାଇଥିଲା। ଆଉ ଏଥିପାଇଁ ଜିଲ୍ଲା ଅଦାଲତ ପରିସରରେ ବ୍ୟାପକ ପୁଲିସ ନିଯୁକ୍ତ କରାଯାଇଥିଲା। ଜଣେ ଜଣାଶୁଣା ଆଇନଜୀବୀ ତଥା ରାଜନୈତିକ ନେତାଙ୍କୁ ଖୁଲମ୍‌ଖୁଲା ହତ୍ୟା କରାଯିବା ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ପୁଲିସ ଏହି ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ବ୍ୟାପକ ତଦନ୍ତ କରିବା ସହ ପ୍ରାୟ ୩୦ ହଜାର ପୃଷ୍ଠାର ଏହି ପ୍ରାଥମିକ ଚାର୍ଜସିଟ୍ ଦାଖଲ କରିଛି।