ବିଜେପି ସହ ଯୋଗାଯୋଗରେ ତୃଣମୂଳର ୬୦ ବିଧାୟକ, ସଂଖ୍ୟା ଗରିଷ୍ଠତା ପ୍ରମାଣ ପାଇଁ ମମତାଙ୍କୁ ଡ଼ାକି ପାରନ୍ତି ରାଜ୍ୟପାଳ: ସାଂସଦ ସୌମିତ୍ର ଖାନ

ନୂଆଦିଲ୍ଲୀ,୧ /୧୨ : ପଶ୍ଚିମବଙ୍ଗର ରାଜନୈତିକ ବାତାବରଣ ସରଗରମ ହୋଇ ଉଠିଛି । ଆସନ୍ତା ବର୍ଷ ମଧ୍ୟ ବେଳକୁ ପଶ୍ଚିମବଙ୍ଗ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହି ସ୍ଥିତିରେ ତୃଣମୂଳ ଛାଡ଼ି କିଛି ବିଧାୟକ ବିଜେପିରେ ଯୋଗ ଦେଇଛନ୍ତି । ଶୁଭେନ୍ଦୁ ଅଧିକାରୀଙ୍କ ପରି ଟାଣୁଆ ନେତା ମଧ୍ୟ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଇତ୍ୟବସରରେ ବିଜେପି ସାଂସଦ ସୌମିତ୍ର ଖାନ ଯେଉଁ ରାଜନୈତିକ ବୋମା ଫିଙ୍ଗିଛନ୍ତି ତାହା ରାଜ୍ୟ ରାଜନୀତିରେ ଆଲୋଡ଼ନ ସୃଷ୍ଟି କରିଛନ୍ତି । ସୌମିତ୍ର କହିଛନ୍ତି ଯେ ତୃଣମୂଳ କଂଗ୍ରେସର ୬୦ ଜଣ ବିଧାୟକ ଏବେ ବିଜେପି ସଂପର୍କରେ ରହିଛନ୍ତି । ତେଣୁ ଯେ କୌଣସି ମୁହୂର୍ତ୍ତରେ ସରକାର ଭାଙ୍ଗି ଯାଇପାରେ ।

ନିକଟରେ ଦକ୍ଷିଣ କୁଚବିହାର ତୃଣମୂଳ ବିଧାୟକ ମିହିର ଦଳରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିଲେ । ଏହାପରେ କିଛିଦିନ ତଳେ ବିଜେପି ନେତା ତଥା ଗୃହ ମନ୍ତ୍ରୀ ଅମିତ୍ ଶାହା ପଶ୍ଚିମବଙ୍ଗ ଗସ୍ତ ଅବସରରେ କିଛି ତୃଣମୂଳ ନେତା ତାଙ୍କୁ ଭେଟିଥିଲେ । ଏହି ସ୍ଥିତିରେ ସୌମିତ୍ରଙ୍କ ବିବୃତି ପଶ୍ଚିମବଙ୍ଗରେ ରାଜନୈତିକ ହଲଚଲ ସୃଷ୍ଟି କରିଛି । ତୃଣମୂଳ ନେତାଙ୍କ ମଧ୍ୟରେ ଆତଙ୍କ ଦେଖା ଦେଇଛି ।

ସାଂସଦ ସୌମିତ୍ର କହିଛନ୍ତି ଯେ ଟିଏମସି ବିଧାୟକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି, ଯେଉଁଥିପାଇଁ ସେ ଦଳ ଛାଡିଛନ୍ତି। ଏଭଳି ପରିସ୍ଥିତିରେ ରାଜ୍ୟପାଳ ହଠାତ୍ ବଙ୍ଗଳା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ତାଙ୍କ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ କହିପାରନ୍ତି। ଏଥିସହ ମମତା ବାନାର୍ଜୀଙ୍କ ଅନେକ ମନ୍ତ୍ରୀ ମଧ୍ୟ ବିଜେପିରେ ଯୋଗଦେବାକୁ ଚାହୁଁଛନ୍ତି ବୋଲି ସେ ଦାବି କରିଛନ୍ତି।

ଅନ୍ୟପକ୍ଷରେ ତୃଣମୂଳ ପକ୍ଷରୁ ସୌମିତ୍ରଙ୍କ ବିବୃତିର ନିନ୍ଦା ଓ ସମାଲୋଚନା କରାଯାଇଛି । ଦଳର ମୁଖପାତ୍ର କହିଛନ୍ତି ଯେ ସମ୍ବିଧାନ ଏବଂ ଏହାର ବ୍ୟବସ୍ଥା ବିଷୟରେ ବିଜେପି ପ୍ରଥମେ ଜାଣିବା ଉଚିତ୍। ଏଥିସହ ରାଜ୍ୟପାଳ କେଉଁ ପଦକ୍ଷେପ ନେବାକୁ ଯାଉଛନ୍ତି ତାହା ବିଜେପି ସାଂସଦ ସୋମିତ୍ର ଖାନ କିପରି ଜାଣିଲେ । ଲୋକମାନଙ୍କ ଦ୍ୱାରା ନିର୍ବାଚିତ ସରକାରଙ୍କୁ ଏପରି ବ୍ୟବହାର କରିବା ଠିକ୍ ନୁହେଁ। ଟିଏମସିରେ କୌଣସି ବିଭାଜନ ହେବାର ସମ୍ଭାବନା ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ସମସ୍ତ ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମର୍ଥନ କରୁଛନ୍ତି ବୋଲି ଦଳ ପକ୍ଷରୁ କୁହାଯାଇଛି ।