ନରମିଲେ ଚାଷୀ : ଜାନୁୟାରୀ ୪ରେ ପୁଣି ବୈଠକ

ନୂଆଦିଲ୍ଲୀ, ୩୦/୧୨: ସଂଶୋଧିତ କୃଷି ଆଇନକୁ ନେଇ ଆନ୍ଦୋଳନକାରୀ ଚାଷୀମାନେ ଆଜି ସରକାରଙ୍କ ସହ ସପ୍ତମ ପର୍ଯ୍ୟାୟ ବୈଠକରେ ବସିଥିଲେ। ଶେଷରେ ଉଭୟ ପକ୍ଷ ଦୁଇଟି ପ୍ରସଙ୍ଗରେ ସହମତ ହେବା ସହ ୪ ଜାନୁୟାରୀ ଅପରାହ୍ନରେ ପରବର୍ତ୍ତି ବୈଠକ ଲାଗି ନିଷ୍ପତ୍ତି ନେଇଛନ୍ତି।

ଚାଷୀମାନେ ସଂଶୋଧିତ କୃଷି ଆଇନ ପ୍ରତ୍ୟାହାର ଦାବିରେ ଦୀର୍ଘ ୩୫ ଦିନ ହେଲା ଅଡି ବସିଛନ୍ତି। ୪ଟି ବିଷୟକୁ ଚାଷୀ ପ୍ରସଙ୍ଗ କରିଛନ୍ତି, ସେମାନେ ସଂଶୋଧିତ କୃଷି ଆଇନ ଚାହୁଁ ନାହାନ୍ତି ଏଣୁ ଏହାର ପ୍ରତ୍ୟାହାର ସେମାନଙ୍କର ପ୍ରଥମ ପ୍ରସଙ୍ଗ, ସେହିପରି ଏମଏସପି ଲାଗି ସରକାରଙ୍କ ଲିଗାଲ ଗ୍ୟାରେଣ୍ଟିକୁ ଦ୍ୱିତୀୟ ପ୍ରସଙ୍ଗ କରିଥିବା ବେଳେ ବିଦ୍ୟୁତ ବିଲ ସଂଶୋଧନ ତୃତୀୟ ଓ ପାଳକୁଟା ଜାଳିଲେ ଆଇନଗତ କଟକଣା ପ୍ରତ୍ୟାହାର ସେମାନଙ୍କ ଚତୁର୍ଥ ଦାବି ରହିଛି।

ଆଜି ଅନୁଷ୍ଠିତ ବୈଠକରେ ସରକାର ଓ ଚାଷୀ ୨ଟି ପ୍ରସଙ୍ଗରେ ସହମତ ହୋଇଛନ୍ତି। ଦୀର୍ଘ ୫ ଘଣ୍ଟାର ଆଲୋଚନାରେ ବିଦ୍ୟୁତ ବିଲ ଓ ପାଳକୁଟା ଜଳାଇବା ନେଇ ଥିବା ସମସ୍ୟାର ଉଭୟ ପକ୍ଷ ସହମତ ହୋଇଛନ୍ତି। ଏଥିରେ କୃଷକନେତା ମଧ୍ୟ ସରକାରଙ୍କ ଲାଗି ନରମ ହୋଇଛନ୍ତି। ସେମାନଙ୍କର ୩୧ ଡିସେମ୍ବର ଟ୍ରାକ୍ଟର ରାଲି ପ୍ରତ୍ୟାହାର ଘୋଷଣା କରିଛନ୍ତି। ତେବେ କୃଷି ଆଇନ ଓ ଏମଏସପିକୁ ନେଇ ନା ସରକାର ନା ଚାଷୀ କେହି ହେଲେ ବୁଝାମଣା ବିନ୍ଦୁରେ ପହଞ୍ଚିପାରିନାହାନ୍ତି।