୮ ମାସ ପରେ ୧ ଲକ୍ଷ କୋଟି ଟଙ୍କା ଟପିଲା ଜିଏସଟି ସଂଗ୍ରହ

ନୂଆଦିଲ୍ଲୀ, ୧/୧୧ : କରୋନା ସଙ୍କଟ ସହ ସଂଘର୍ଷ କରୁଥିବା ଭାରତୀୟ ଅର୍ଥନୀତି ପାଇଁ ଦୀର୍ଘ ୮ ମାସ ପରେ ଖୁସି ଖବର ଆସିଛି | ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ରବିବାର ଦିନ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ଚଳିତ ବର୍ଷ ଅକ୍ଟୋବରରେ ଜିଏସଟି ସଂଗ୍ରହ ୧.୦୫ ଲକ୍ଷ କୋଟିରୁ ଅଧିକ ହୋଇଛି । ଚଳିତ ବର୍ଷ ଫେବୃଆରୀ ଠାରୁ ପ୍ରଥମ ଥର ପାଇଁ ଏହି ସଂଖ୍ୟା ୧ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି ।

ଅର୍ଥ ମନ୍ତ୍ରଣାଳୟ ଅନୁଯାୟୀ, ଅକ୍ଟୋବର ୩୧, ୨୦୨୦ ପର୍ଯ୍ୟନ୍ତ ଦାଖଲ ହୋଇଥିବା GSTR-3B ରିଟର୍ଣ୍ଣର ମୋଟ ସଂଖ୍ୟା ୮୦ ଲକ୍ଷରେ ପହଞ୍ଚିଛି । ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ଏକ ବିବୃତ୍ତିରେ କୁହାଯାଇଛି ଯେ ଅକ୍ଟୋବର ୨୦୨୦ ରେ ସମୁଦାୟ ଜିଏସଟି ସଂଗ୍ରହ ୧,୦୫,୧୫୫ କୋଟି ଟଙ୍କା ଥିଲା | ଏଥିରେ CGSTର ଅଂଶ ୧୯,୧୯୩ କୋଟି, SGSTର ୫,୪୧୧ କୋଟି, IGSTର ୫୨,୫୪୦ କୋଟି (ସାମଗ୍ରୀ ଆମଦାନୀ ଉପରେ ୨୩,୩୭୫ କୋଟି ଟଙ୍କା ସଂଗ୍ରହ ମଧ୍ୟ ଅନ୍ତର୍ଭୁକ୍ତ) ଏବଂ ଆମଦାନୀ ହୋଇଥିବା ସାମଗ୍ରୀ ଉପରେ ୮,୦୧୧ କୋଟି ଟଙ୍କା ଅନ୍ତର୍ଭୂକ୍ତ କରାଯାଇଛି)।

ଅକ୍ଟୋବର ୨୦୨୦ରେ ଜିଏସଟି ସଂଗ୍ରହ ପୂର୍ବ ବର୍ଷର ସମାନ ମାସ ତୁଳନାରେ ୧୦ ପ୍ରତିଶତ ଅଧିକ ହୋଇଛି। ଅକ୍ଟୋବର ୨୦୧୯ରେ ଜିଏସଟି ସଂଗ୍ରହ ୯୫,୩୭୯ କୋଟି ଟଙ୍କା ଥିଲା । କୋଭିଡ -୧୯ ମହାମାରୀର ପ୍ରସାରକୁ ରୋକିବା ପାଇଁ ଦେଶରେ ଲଗାଯାଇଥିବା ଲକଡାଉନ ଯୋଗୁଁ ଜିଏସଟି ସଂଗ୍ରହ କ୍ରମାଗତ ଅନେକ ମାସ ଧରି ୧ ଲକ୍ଷ କୋଟି ଟଙ୍କାରୁ କମ୍ ରହିଥିଲା ।