ସମ୍ବଲପୁର,୧୭ /୮ : ଜିଏସଟି ଠକେଇ ଅଭିଯୋଗରେ ରାଜ୍ୟ ବିକ୍ରିକର ଅଧିକାରୀମାନେ ଆଜି ଜଣେ ଠକ ବ୍ୟବସାୟୀ କାଶ୍ମିରା କୁମାର ଅଗ୍ରୱାଲଙ୍କୁ ଗିରଫ କରିଛନ୍ତି। କାଶ୍ମିରା ଜାଲ ୱେ-ବିିଲ ଜରିଆରେ ପ୍ରାୟ ୭୧୨ କୋଟି ଟଙ୍କାର କାରବାର କରିଛନ୍ତି। ଏହି ବେଆଇନ କାରବାରରୁ ସରକାର ୧୨୯.୯ କୋଟି ଟଙ୍କାର ଟିକସ ହରାଇଛନ୍ତି। ଗତ ୯ ମାସ ହେଲା କାଶ୍ମିରା ପଛରେ ବିଭାଗ ପଡ଼ିଥିଲା। ବାରମ୍ବାର ନୋଟିସ ସତ୍ତ୍ୱେ ଅଧିକାରୀଙ୍କ ଆଖିରେ ଧୂଳି ଦେଇ ସେ ଘୁରୁ ବୁଲୁଥିଲୋ। ଆଜି ତାଙ୍କୁ ସମ୍ବଲପୁରରୁ ଗିରଫ କରାଯାଇଛି। ସନ୍ଧ୍ୟାରେ ରାଉରକେଲା ଏସ୍ଡିଜେଏମ୍ଙ୍କ କୋର୍ଟରେ ପେଶ୍ କରାଯାଇଛି। କୋର୍ଟରେ ଜାମିନ ଖାରଜ ହୋଇ ଯାଇଛି। ଅନ୍ୟପକ୍ଷରେ କମ୍ପାନୀର ଅନ୍ୟଜଣେ ଅଂଶୀଦାର ବିମଳ ନାୟକଙ୍କୁ ମଧ୍ୟ ଖୋଜା ଚାଲିଥିବା ସୂଚନା ମିଳିଛି ।
ସେକ୍ଟର-୭ରେ ରହୁଥିବା କାଶ୍ମିରା ମଧୁମିତା ଷ୍ଟିଲ ଇଣ୍ଡଷ୍ଟି୍ରଜ ପ୍ରାଇଭେଟ ଲିମିଟେଡ ନାଁରେ ଫାର୍ମ ଖୋଲିଥିଲେ। କାରଖାନା ଓ ଅଫିସ କୋଏଲନଗରରେ ଥିବା ଦର୍ଶାଇଥିଲେ। ପ୍ରକୃତରେ ଏଭଳି କୌଣସି ଶିଳ୍ପ କାରଖାନା ବା ବ୍ୟବସାୟିକ ପ୍ରତିଷ୍ଠାନ ନଥିଲା। କେବଳ ମଧୁମିତା ନୁହେଁ ଏଭଳି ୧୫/୨୦ଟି ଜାଲ ଫାର୍ମ କରି କାଶ୍ମିରା ଓ ଠକେଇ ଘଟଣାର ମାଷ୍ଟର ମାଇଣ୍ଡ ଅତୁଲ ବଂଶଲ ୨/୩ ବର୍ଷ ହେଲା କେବଳ ଜାଲ୍ ବିଲ କାରବାର କରୁଥିଲେ। କାଶ୍ମିରା ଓ ତାଙ୍କ ଟିମ୍ ପ୍ରାୟ ୭୧୨ କୋଟିର କେବଳ ଜାଲ୍ବିଲ ବିକ୍ରି କରିଥିଲେ। ଏହି କାରବାରରୁ ସେମାନେ ୧୨୯.୯ କୋଟି ଟଙ୍କାର ଇନ୍କମ୍ ଟ୍ୟାକ୍ସ କ୍ରେଡିଟ୍ (ଆଇଟିସି) ଲାଭ କରିଛନ୍ତି। ସେମାନେ ନା କେଉଁଠି ମାଲ କିଣିଛନ୍ତି ନାଁ ବିକ୍ରି କରିଛନ୍ତି। କେବଳ ଜାଲ ବିଲ୍ ଓ ଚାଲାଣ ବିକି ସରକାରଙ୍କୁ ଠକି ଚାଲିଥିଲେ। ରାଜ୍ୟ ବିକ୍ରିକର ଗୁଇନ୍ଦା ବିଭାଗର ନଜରକୁ ଆସିଲା ପରେ ଗତ ବର୍ଷ ଅଗଷ୍ଟ ମାସରୁ ତଦନ୍ତ ଚଳାଇଥିଲା। ତଦନ୍ତ ବେଳେ ଜିଏସ୍ଟି ଠକେଇ ଧରା ପଡ଼ିଲା ପରେ ଗତ ବର୍ଷ ଅକ୍ଟୋବର ୨୫ ତାରିଖରେ କାଶ୍ମିରାର ମୁଖ୍ୟ ସହଯୋଗୀ ତଥା ଘଟଣାର ମାଷ୍ଟର ମାଇଣ୍ଡ ଅତୁଲ ବଂଶଲ ସମେତ ଅନ୍ୟ କେତେକଙ୍କୁ ଓଜିଏସ୍ଟି ଅଧିକାରୀମାନେ ଗିରଫ କରିଥିଲେ। ମାତ୍ର ସେହି ଦିନରୁ କାଶ୍ମିରା ଫେରାର ହୋଇ ଯାଇଥିଲେ। ବିଭାଗ ପକ୍ଷରୁ ନୋଟିସ କରାଯାଇ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ମାତ୍ର କାଶ୍ମିରା ଲୁଚି ରହିଥିଲେ। ଆଜି ତାଙ୍କୁ ଗିରଫ କରାଯାଇଛି। ସନ୍ଧ୍ୟାରେ କୋର୍ଟ ଚାଲାଣ କରାଯାଇଛି। କୋର୍ଟରେ ଜାମିନ ଖାରଜ ହୋଇଯାଇଛି।