କୋଭିଡ୍‌ ଯୋଦ୍ଧା ଡାକ୍ତର ପ୍ରିୟା ଶ୍ରୀଙ୍କୁ ଦିଆଗଲା ‘ଗାର୍ଡ ଅଫ୍ ଅନର’, ଅନ୍ତିମ ସଂସ୍କାର କଲେ ସାନଭାଇ

ରାଉରକେଲା: ରାଜ୍ୟରେ ଆଉ ଜଣେ କୋଭିଡ୍‌ ଯୋଦ୍ଧାଙ୍କ ମୃତ୍ୟୁ। ଦୁଇ ଦିନ ତଳେ କରୋନା ସଂକ୍ରମିତ ହୋଇ ରାଉରକେଲା ଇସ୍ପାତ ଜେନେରାଲ୍ ହସ୍ପିଟାଲ୍ (ଆଇଜିଏଚ୍)ର ଦ୍ୱିତୀୟ ବର୍ଷର ପିଜି ଛାତ୍ରୀ ଡଃ ପ୍ରିୟାଶ୍ରୀ (୨୯)ଙ୍କ ମୃତ୍ୟୁ ହୋଇଥିଲା। ଆଜି ତାଙ୍କୁ ‘ଗାର୍ଡ ଅଫ୍ ଅନର’ ପ୍ରଦାନ କରାଯାଇଥିଲା।

ସୂଚନାଯୋଗ୍ୟ, ‘ଗାର୍ଡ ଅଫ୍ ଅନର’ ପ୍ରଦାନ କରାଯିବା ପରେ ଆଜି ଡଃ ପ୍ରିୟା ଶ୍ରୀଙ୍କ ସାନଭାଇ ଅଭିନାଭ ରଂଜନ ବେଦଭ୍ୟାସରେ ଭଉଣୀଙ୍କ ଅନ୍ତିମ ସଂସ୍କାର କରିଥିଲେ। ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି କରୋନାରେ ମୃତ୍ୟୁ ହୋଇଥିବା କରେନା ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ବିହାରର ନାଳନ୍ଦା ଜିଲ୍ଲାର ପ୍ରିୟା ଶ୍ରୀ ସର୍ଜରୀରେ ଡିପ୍ଲୋମାଟ୍ ଅଫ୍ ନ୍ୟାସନାଲ ବୋର୍ଡ (ଡିଏନବି)ରେ ଅନୁସରଣ କରିବା ସହିତ ହସ୍ପିଟାଲରେ କୋଭିଡ୍ -୧୯ରୋଗୀଙ୍କୁ ଚିକିତ୍ସା କରୁଥିଲେ। ସେ କିଛିଦିନ ହେବ ଅସୁସ୍ଥ ଅନୁଭବ କରିବାରୁ କରୋନା ପରୀକ୍ଷା କରାଇଥିଲେ। ତାଙ୍କର ପଜିଟିଭ୍ ବାହାରିଥିଲା। ତତ୍‌କ୍ଷାଣତ୍ ପ୍ରିୟା ଶ୍ରୀ ସେପ୍ଟେମ୍ବର ୨୨ ତାରିଖରେ ଆଇଜିଏଚରେ ଭର୍ତ୍ତି ହୋଇଥିଲେ। ପରେ ତାଙ୍କୁ ହାଇ-ଟେକ୍ କୋଭିଡ୍ ହସ୍ପିଟାଲ୍ ଏବଂ ପରେ ଜେପି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା, ଯେଉଁଠାରେ ସେ ଅକ୍ଟୋବର ୧୬ ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।