ଭୁବନେଶ୍ଵର, ୧୦/୯ : କରୋନା ସଂକ୍ରମଣ ସ୍ଥିତି ସମୟରେ ରାଜ୍ୟରେ ଦୁର୍ଗା ପୂଜା, କାଳୀ ପୂଜା ଓ ଲକ୍ଷ୍ମୀ ପୂଜା ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର। ପୂଜା ପାଇଁ ଜିଲ୍ଲା ପ୍ରଶାସନର ଅନୁମତି ନେବେ ପୂଜା ମଣ୍ଡପ । ରାଜ୍ୟରେ ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା ଓ କାଳୀ ପୂଜା କିପରି ପାଳନ ହେବ ସେ ନେଇ ଗାଇଡଲାଇନରେ ଉଲ୍ଲେଖ କରାଯାଇଛି। ପୂଜାରେ ଅଧିକ ଲୋକଙ୍କୁ ସାମିଲ ହେବା ମନା ।
ଗାଇଡଲାଇନ ଅନୁଯାୟୀ, ମଣ୍ଡପରେ ପୂଜା ପାଇଁ ଜିଲାପାଳ ଓ କମିଶନରଙ୍କ ଠାରୁ ଅନୁମତି ଜରୁରୀ। ଜିଲାମାନଙ୍କରେ ଜିଲାପାଳ ଓ ଟ୍ବିନ ସିଟିରେ ପୁଲିସ କମିଶନରଙ୍କ ଅନୁମତି ଲୋଡା। କେବଳ ପରମ୍ପରା ବଜାୟ ରଖିବା ପାଇଁ ପୂଜା କରାଯାଇ ପାରିବ। ସାଧାରଣ ଲୋକ ଭାଗନେଇ ପାରିବେ ନାହିଁ କି ଗହଳି ହୋଇପାରିବନି ବୋଲି ଗାଇଡ ଲାଇନରେ କୁହାଯାଇଛି। ପୂଜା ମଣ୍ଡପ ତିନି ପାର୍ଶ୍ୱରୁ ସମ୍ପୂର୍ଣ୍ଣ ବନ୍ଦ ଓ ଚତୁର୍ଥ ପାର୍ଶ୍ଵ ଆଶିଂକ ବନ୍ଦ ରହିବ। ମଣ୍ଡପରେ ମୂର୍ତ୍ତି ଗୁଡ଼ିକର ଉଚ୍ଚତା ୪ ଫୁଟରୁ କମ୍ ରହିବା ମଣ୍ଡପରେ କର୍ତ୍ତା ଏବଂ ବ୍ରାହ୍ମଣଙ୍କୁ ମିଶାଇ ୬ ଜଣରୁ ଅଧିକ ରହିବେନି। ମଣ୍ଡପରେ ଉପସ୍ଥିତ ସମସ୍ତେ ସାମାଜିକ ଦୂରତ୍ୱ ରଖିବା ସହ ମାସ୍କ ଆଦି ପିନ୍ଧିବା ବାଧ୍ୟ। ଭସାଣ ଉତ୍ସବ ହେବନି, କୃତ୍ରିମ ପୋଖରୀରେ ମୂର୍ତ୍ତି ବିସର୍ଜନ କରାଯିବ। କୌଣସି ସଂଗୀତ ବା ମନୋରଞ୍ଜନ କାର୍ଯ୍ୟକ୍ରମ ହୋଇ ପାରିବ ନାହିଁ। ଗାଇଡ ଲାଇନ ପାଳନ ନ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟସରକାର ନିର୍ଦେଶ ଦେଇଛନ୍ତି ।