ନୂଆଦିଲ୍ଲୀ, ୦୭/୦୪ : ଆଇପିଏଲ୍ର ୧୯ତମ ମ୍ୟାଚ୍ରେ ଗୁଜରାଟ୍ ୭ ଓ୍ଵିକେଟ୍ରେ ସନରାଇଜର୍ସ ହାଇଦ୍ରାବାଦକୁ ହରାଇ ସହଜ ବିଜୟ ହାସଲ କରିଛି। ହ୍ୟାଟ୍ରିକ ବିଜୟ ସହ ଶୁଭମନ ଗିଲ୍ଙ୍କ ଦଳ ପଏଣ୍ଟ ଟେବୁଲର ଦ୍ଵିତୀୟ ସ୍ଥାନକୁ ଉଠିଥିବା ବେଳେ ହାଇଦ୍ରାବାଦ ଲଗାତାର ଚତୁର୍ଥ ପରାଜୟ ଭୋଗିଛି। ହାଇଦ୍ରାବାଦ ପଏଣ୍ଟ ଟେବୁଲର ଦଶମ ସ୍ଥାନରେ ରହିଛି। ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦ ୮ ଓ୍ଵିକେଟ୍ ହରାଇ ୧୫୨ ରନ କରିଥିଲା। ଦଳ ପକ୍ଷରୁ ନୀତିଶ ରେଡ୍ଡୀ ସର୍ବାଧିକ ୩୧ ରନ କରିଥିଲେ। ଜବାବରେ ଗୁଜରାଟ ୧୬.୪ ୩ ଓ୍ଵିକେଟ୍ ହରାଇ ସହଜରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଶୁଭମନ ଗିଲ୍ ଅପରାଜିତ ୬୧ ରନର ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିବା ବେଳେ ଓ୍ଵାଶିଂଟନ ସୁନ୍ଦର ୪୯ ରନର ବିସ୍ଫୋରକ ଇନିଂସ ଖେଳିଥିଲେ। ସେରଫନ ରଦରଫୋର୍ଡ ୩୫ ରନର ବିସ୍ଫୋରକ ଇନିଂସ ଖେଳିଛନ୍ତି। ମହମ୍ମଦ ସିରାଜ ୧୭ ରନ ଦେଇ ୪ ଓ୍ଵିକେଟ୍ ଅକ୍ତିକାର କରି ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ୧୫୩ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଗୁଜରାଟର ଆରମ୍ଭ ନିରାଶଜନକ ଥିଲା। ଫର୍ମରେ ଥିବା ସାଇ ସୁଦର୍ଶନ ୫ ରନ କରି ଆଉଟ୍ ହୋଇଥିଲେ। ଜୋସ୍ ବଟଲର ଖାତା ଖୋଲି ପାରି ନ ଥିଲେ। ୧୬ ରନରେ ୨ ଓ୍ଵିକେଟ୍ ହରାଇ ଚାପଗ୍ରସ୍ତ ହୋଇଥିଲା ଗୁଜରାଟ୍। ତେବେ ଓ୍ଵାଶିଂଟନ ସୁନ୍ଦର କ୍ରିଜକୁ ଆସିବା ମାତ୍ରେ ବିସ୍ଫୋରକ ବ୍ୟାଟିଂ କରି ଗୁଜରାଟ ଉପରୁ ଚାପ ହଟାଇଥିଲେ। ସୁନ୍ଦର ମାତ୍ର ୨୯ ବଲରୁ ୫ ଚୌକା ଓ ୨ ଛକା ସହ ୪୯ ରନ କରି ଆଉଟ୍ ହୋଇଥିଲେ।
ସେରଫନ ରଦରଫର୍ଡ ୧୬ ବଲରୁ ୩୫ ରନର ଧୂଆଁଧାର ବ୍ୟାଟିଂ କରି ଗୁଜରାଟକୁ ଆହୁରି ସହଜ ବିଜୟ ଦେଇଥିଲେ। ଗୁଜରାଟ ୧୬.୪ ଓଭରରେ ୩ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି।