IPL – 2022 : ଦିଲ୍ଲୀକୁ ୧୪ ରନରେ ହରାଇଲା ଗୁଜରାଟ ଟାଇଟନ୍ସ

ପୁଣେ,୨/୪: ଆଇପିଏଲର ୧୦ମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୧୪ ରନରେ ପରାସ୍ତ କରିଛି ଗୁଜରାଟ ଟାଇଟନ୍ସ । ଚଳିତ ସିଜିନରେ ଗୁଜରାଟ ଟାଇଟନ୍ସ କ୍ରମାଗତ ଦ୍ଵିତୀୟ ବିଜୟ ହାସଲ କରିଛି। ଅପରପକ୍ଷେ ଦିଲ୍ଲୀ କ୍ୟାପିଟାଲ୍ସ ଦୁଇଟି ମ୍ୟାଚରୁ ପ୍ରଥମ ପରାଜୟ ଭୋଗିଛି। ପ୍ରଥମେ ବ୍ୟାଟିଂ କରି ଶୁଭମାନ ଗିଲ୍‌ଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ଗୁଜରାଟ ଟାଇଟନ୍ସ ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ହରାଇ ୧୭୧ ରନ କରିଥିଲା। ଗିଲ୍ ୪୬ ବଲ୍‌ରୁ ୮୪ ରନ କରିଥବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୩୧ ରନ କରିଥିଲେ। ଜବାବରେ ଦିଲ୍ଲୀ କ୍ୟାପିଟାଲ୍ସ ୯ ଓ୍ଵିକେଟ୍ ହରାଇ ୧୫୭ ରନ କରିବାକୁ ସକ୍ଷମ ହୋଇଛି। ଅଧିନାୟକ ଋଷଭ ପନ୍ତ ସର୍ବାଧିକ ୪୩ ରନ କରିଛନ୍ତି। ଲଳିତ ଯାଦବ ୨୫ ଏବଂ ରୋଭମାନ ପାଓ୍ଵେଲ ୨୦ ରନ କରିଛନ୍ତି। ଲୋକି ଫର୍ଗ୍ୟୁସନ ୨୮ ରନ ଦେଇ ୪ ଓ୍ଵିକେଟ୍ ଏବଂ ମହମ୍ମଦ ଶାମି ୩୦ ରନ ଦେଇ ୨ଟି ଓ୍ଵିକେଟ୍ ନେଇଛନ୍ତି। ଗୁଜରାଟ ଇନିଂସରେ ମୁସ୍ତାଫିଜୁର ରେହମାନ ୨୩ ରନ ଦେଇ ୩ଟି ଓ୍ଵିକେଟ୍ ଏବଂ ଖଲିଲ ଅହମ୍ମଦ ୩୪ ରନ ଦେଇ ୨ଟି ଓ୍ଵିକେଟ୍ ନେଇଥିଲେ।