ଆଜିଠାରୁ ଆରମ୍ଭ ହୋଇଛି ଗୁପ୍ତ ନବରାତ୍ରି

ଭୁବନେଶ୍ୱର, ୧୯/୦୧ : ବର୍ଷକୁ ଦୁଇ ଥର ପଡୁଥିବା ଚୈତ୍ର ନବରାତ୍ରି ଓ ଶାରଦୀୟ ନବରାତ୍ରି ବାବଦରେ ତ ସମସ୍ତେ ଜାଣନ୍ତି । ଆଶ୍ୱିନ ମାସରେ ପଡ଼ୁଥିବା ନବରାତ୍ରିକୁ ଶାରଦୀୟ ନବରାତ୍ରି ଏବଂ ଚୈତ୍ର ମାସରେ ପଡ଼ୁଥିବା ନବରାତ୍ରିକୁ ଚୈତ୍ର ନବରାତ୍ରି କୁହାଯାଏ । କିନ୍ତୁ ଏହା ବ୍ୟତୀତ ଆଉ ତିନୋଟି ନବରାତ୍ରି ବି ପାଳନ କରାଯାଇଥାଏ । ସେଗୁଡିକ ହେଉଛି ପୌଷ ଗୁପ୍ତ ନବରାତ୍ରୀ, ଆଷାଢ଼ ଗୁପ୍ତ ନବରାତ୍ରୀ ଓ ମାଘ ଗୁପ୍ତ ନବରାତ୍ରୀ । ମାଘ ମାସରେ ପଡୁଥିବା ଏହି ନବରାତ୍ରୀକୁ ମାଘ ଗୁପ୍ତ ନବରାତ୍ରୀ ବୋଲି କୁହାଯାଏ । ଆଜି ଠାରୁ ପାଳନ କରାଯାଉଛି ମାଘ ଗୁପ୍ତ ନବରାତ୍ରି । ଏହି ପର୍ବ ଆଜି ଠାରୁ ଆରମ୍ଭ ହୋଇ ୨୭ ଜାନୁଆରୀରେ ଶେଷ ହେବ । ନଅ ଦିନ ପର୍ଯ୍ୟନ୍ତ ଚାଲିବ ଏହି ନବରାତ୍ରି । ସାଧକମାନେ ତନ୍ତ୍ର, ମନ୍ତ୍ର ଏବଂ ଯନ୍ତ୍ର ସିଦ୍ଧି ପାଇଁ ଗୁପ୍ତ ସାଧନା କରିବେ ।

କ୍ୟାଲେଣ୍ଡର ଅନୁସାରେ, ଆଜି ଠାରୁ ଅର୍ଥାତ ପ୍ରତିପଦ ତିଥିରେ ଉତ୍ତରାଷାଢା ନକ୍ଷତ୍ର, ବଜ୍ର ଯୋଗ ଏବଂ ମକର ରାଶିରେ ଚନ୍ଦ୍ରର ପ୍ରଭାବରେ ଗୁପ୍ତ ନବରାତ୍ରି ଆରମ୍ଭ ହୋଇଛି । ମଧ୍ୟାହ୍ନ ସମୟରେ, ଶୁଭ ଅଭିଜିତ୍ ସମୟରେ, ସର୍ବାର୍ଥ ସିଦ୍ଧି ଯୋଗର ମିଶ୍ରଣ ହେବ । ସର୍ବାର୍ଥ ସିଦ୍ଧି ଯୋଗ ପ୍ରତ୍ୟେକ ଶୁଭ କାର୍ଯ୍ୟରେ ସଫଳତା ଆଣିବ ବୋଲି ବିଶ୍ବାସ କରାଯାଏ । ଏହି ଯୋଗ ସମୟରେ କରାଯାଇଥିବା ଶୁଭ କାର୍ଯ୍ୟକଳାପ ମନସ୍କାମନା ପୂରଣ କରେ । ଏହି ଯୋଗ ସମୟରେ ଆଧ୍ୟାତ୍ମିକ ସାଧନା ଏବଂ ପୂଜା ଆରମ୍ଭ କରିବା ଦ୍ୱାରା ଶୀଘ୍ର ଫଳ ମିଳିଥାଏ । ମାଘ ମାସର ଗୁପ୍ତ ନବରାତ୍ରିରେ ଗୌରୀ ତୃତୀୟା, ବରଦ ତିଲ କୁଣ୍ଡ ଚତୁର୍ଥୀ, ବସନ୍ତ ପଞ୍ଚମୀ, ନର୍ମଦା ଜୟନ୍ତୀ, ରଥ ଆରୋଗ୍ୟ ସପ୍ତମୀ ଏବଂ ଭୀଷ୍ମ ଅଷ୍ଟମୀ ପାଳନ କରାଯିବ । ଗୁପ୍ତ ନବରାତ୍ରି ସମୟରେ ଦଶ ମହାବିଦ୍ୟା ପୂଜା କରାଯାଏ ।

ପୂଜା ବିଧି: ପ୍ରଥମେ ମା’ ଦୁର୍ଗାଙ୍କ ପ୍ରତିମୂର୍ତ୍ତିକୁ ଏକ ସ୍ୱଚ୍ଛ ଖଟୁଲିରେ ସ୍ଥାପନା କରନ୍ତୁ । ମା’ଙ୍କୁ ଏକ ଲାଲ ରଙ୍ଗର ଓଢଣୀ ଚଢ଼ାନ୍ତୁ । ପରେ ନଡ଼ିଆ, ଫଳ , ଶୃଙ୍ଗାର ଜିନିଷ ଆଦି ଚଢ଼ାନ୍ତୁ । ମା’ଙ୍କୁ ଲାଲ ଫୁଲ ସବୁଠୁ ପ୍ରିୟ ହୋଇଥାଏ । ଭୁଲରେ ବି ଦୁବ, ତୁଳସୀ ଆଦି ଚଢ଼ାଇବେ ନାହିଁ । ଦୀପ ଜଳାଇ ମା’ଙ୍କ ମନ୍ତ୍ର ଜପ କରନ୍ତୁ । ଏହା ସହ ଦୁର୍ଗା ଚାଳିଶା ପାଠ କରନ୍ତୁ । ମା’ଙ୍କ ନିକଟରେ ଦିନକୁ ଦୁଇ ଥର ଭୋଗ ଲଗାନ୍ତୁ । ପୂଜାରେ ଭାଗ ନେଇଥିବା ସମସ୍ତଙ୍କୁ ଭୋଗ ଵାଟନ୍ତୁ । ୯ ଦିନ ଯାଏଁ ନିଜ ଖାଦ୍ୟ ପେୟ, ଆଧାର ସାତ୍ବିକ ରଖନ୍ତୁ ।