ଆଜିଠୁ ହବିଷ୍ୟାଳୀ ଅନ୍‌ଲାଇନ ପଞ୍ଜୀକରଣ

ଭୁବନେଶ୍ୱର, ୦୬/୧୦ : ଶ୍ରୀକ୍ଷେତ୍ରରେ କାର୍ତ୍ତିକ ମାସରେ ‘ରାଇଦାମୋଦର ବ୍ରତ’ ପାଳନ କରିବା ପାଇଁ ସରକାରଙ୍କ ପକ୍ଷରୁ ହବିଷ୍ୟାଳୀ ଯୋଜନା କାର୍ଯ୍ୟକାରୀ ହେଉଛି । ଯେଉଁମାନେ ଏହି ଯୋଜନାରେ ଆସିବେ ସେମାନଙ୍କୁ ନାମ ପଞ୍ଜୀକରଣ କରିବାକୁ ପଡିବ। ତେଣୁ ଆଗ୍ରହୀ ହବିଷ୍ୟାଳୀମାନେ ଅକ୍ଟୋବର ୬ରୁ ୧୧ ତାରିଖ ମଧ୍ୟରେ edistrict.odisha.gov.in ମାଧ୍ୟମରେ ପଞ୍ଜିକରଣ କରିବେ। ଏ ବର୍ଷ ୨, ୫୦୦ ହବିଷ୍ୟାଳୀଙ୍କୁ ରଖାଯିବ। ଚଳିତବର୍ଷ ବୃନ୍ଦାବତୀ ନିବାସ, ବଗଲା, ଅକ୍ଷୟ ପାତ୍ର ଓ ମୋଚିସାହି କଲ୍ୟାଣ ମଣ୍ଡପରେ ହବିଷ୍ୟାଳୀ ମା’ମାନେ ରହିବେ। ସେମାନଙ୍କ ରହଣି ସହ ପ୍ରାତଃରୁ ବୃନ୍ଦାବତୀ ପୂଜା, ମନ୍ଦିର ଦର୍ଶନ, ମହାପ୍ରସାଦ ସେବନ, ଭଜନ କୀର୍ତ୍ତନ ଇତ୍ୟାଦିର ବ୍ୟବସ୍ଥା କରାଯାଇଛି। ଆବେଦନକାରୀ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ହୋଇଥିବେ। ବିଧବା ବ୍ରତ ଧାରିଣୀଙ୍କୁ ଓ ନୂତନ ଆବେଦନକାରୀଙ୍କୁ ପ୍ରାଧାନ୍ୟ ଦିଆଯିବ। ଅନ୍‌‌ଲାଇନରେ ପଞ୍ଜୀକରଣ କରିଥିବା ହବିଷ୍ୟାଳୀଙ୍କ ଯାଞ୍ଚ ପରେ ଜିଲ୍ଲାୱାରୀ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରାଯାଇ ସେମାନଙ୍କ ନିକଟକୁ ସ୍ୱୀକୃତି ପଠାଯିବ। ୧୭ ତାରିଖ ସୁଦ୍ଧା ନିର୍ଦ୍ଧାରିତ ରହଣୀ କେନ୍ଦ୍ରରେ ହବିଷ୍ୟାଳୀ ରହିବେ । ବିନା ପଞ୍ଜୀକରଣରେ ଅପ୍ରତ୍ୟାଶିତ ଭାବେ ହବିଷ୍ୟାଳୀ ଶିବିରକୁ ଆସୁଥିବା ବ୍ୟକ୍ତିଙ୍କ ଅନୁରୋଧକୁ ଗ୍ରହଣ କରାଯିବ ନାହିଁ। ପ୍ରତିବର୍ଷ ଏହି ଯୋଜନାରେ ବ୍ରତଧାରୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଚଳିତବର୍ଷ ସଂଖ୍ୟାକୁ କମାଇ ଦିଆଯାଇଛି। ବିଜେପି ହେଉଛି ଜୁମ୍‌‌ଲା ସରକାର। ସେମାନେ ଗରିବ ମା’ମାନଙ୍କୁ ଶ୍ରୀକ୍ଷେତ୍ରରେ ରଖି ବ୍ରତ ପାଳନ କରିବାର ସୁବିଧା ଦେବା ମାନସିକତାରେ ନାହାନ୍ତି। ଏହି ଯୋଜନାରେ ଏଥର ବ୍ୟୟ ପରିମାଣ ବଢ଼ିଥିବା ବେଳେ ହବିଷ୍ୟାଳୀ ମା’ମାନଙ୍କ ସଂଖ୍ୟା କମାଇବା ଦୁର୍ଭାଗ୍ୟଜନକ। ଏହାଦ୍ୱାରା ଅନେକ ଯୋଜନାର ସୁଫଳରୁ ବଞ୍ଚିତ ହେବେ ବୋଲି ସେ କହିଛନ୍ତି।