ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ତଥା ହିଟ୍ ମ୍ୟାନ୍ ଭାବେ ପରିଗଣିତ ଭାରତୀୟ ଓପ୍ନର ରୋହିତ ଶର୍ମାଙ୍କୁ ୩୪ ବର୍ଷ ପୂରିଛି। ଚଳିତ ଆଇପିଏଲ୍ରେ ଗୁରୁବାର ରାଜସ୍ଥାନ ରୟାଲ୍ସକୁ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତଙ୍କୁ ଜନ୍ମ ଦିନ ପୂର୍ବରୁ ଭେଟି ଦେଇଥିଲା। ଶୁକ୍ରବାର ଜିରୋ ଆୱାରରେ ଆଇପିଏଲ୍ ବିଜେତା ଦଳ ରହୁଥିବା ହୋଟେଲ୍ରେ ଅଧିନାୟକ ରୋହିତଙ୍କ ଜନ୍ମଦିନ ପାଳନ ହୋଇଥିଲା। ଦଳୀୟ ସାଥୀ ଓ ଅଧିକାରୀମାନେ ଉପସ୍ଥିତ ଥିଲେ। ପତ୍ନୀ ଋତିକା ସାଜ୍ଦେ ରୋହିତଙ୍କ ସହ କେକ୍ କାଟୁଥିବାର ଫଟୋ ଟ୍ବିଟର୍ରେ ପୋଷ୍ଟ୍ କରି ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ। ‘‘ଜନ୍ମ ଦିନର ଶୁଭେଚ୍ଛା ଓ ଶୁଭକାମନା ଆର୍ଓ’’ ବୋଲି ଋତିକା ଲେଖିଥିଲେ। ‘‘ନିଆଁ ଜଳିବାକୁ ମଞ୍ଚ ପ୍ରସ୍ତୁତ, ସେ ଆସୁଛନ୍ତି-ଏହି ନାମ ହେଉଛି ରୋ-ହିଟ୍ ଶର୍ମା।
ଜନ୍ମଦିନର ଶୁଭେଚ୍ଛା ଅଧିନାୟକ’’ ବୋଲି ମୁମ୍ବାଇ ଇଣ୍ଡିଅନ୍ ନିଜ ଟ୍ବିଟର୍ ପୃଷ୍ଠାରେ ଉଲ୍ଲେଖ କରିଛି। ‘‘ଏକମାତ୍ର ଅଧିନାୟକ ଭାବେ ୫ ଆଇପିଏଲ୍ ମୁକୁଟଧାରୀଙ୍କୁ ଜନ୍ମ ଦିନର ଶୁଭେଚ୍ଛା’’ ବୋଲି ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଟ୍ବିଟ୍ କରିଥିଲା। ଏମାନଙ୍କ ସହ ଆଇସିସି, ବିସିସିଆଇ, ବାମହାତୀ ବ୍ୟାଟ୍ସମ୍ୟାନ୍ ସୁରେଶ ରାଇନା, ସ୍ପିନର କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ହରଭଜନ ସିଂହ ଓ ଦୀନେଶ କାର୍ତ୍ତିକ ମଧ୍ୟ ଟ୍ବିଟ୍ କରି ରୋହିତଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି। ‘‘ଏକମାତ୍ର ବ୍ୟାଟ୍ସମ୍ୟାନ୍ ଯିଏକି ଦିନିକିଆ ଆନ୍ତର୍ଜାତିକରେ ୩ ଦ୍ବିଶତକ, ୨୦୦୭ ଟି-୨୦ ବିଶ୍ବକପ୍ ଏବଂ ୨୦୧୩ ଚାମ୍ପିଅନ୍ସ ଟ୍ରଫି ବିଜେତା ଭାରତୀୟ ଦଳର ସଦସ୍ୟ। ୧୪,୬୮୪ ଆନ୍ତର୍ଜାତିକ ରନ୍ ଏବଂ ଆହୁରି ଅନେକ’’ ବୋଲି ବିସିସିଆଇ ଟ୍ବିଟ୍ କରି ଶୁଭେଚ୍ଛା ଜ୍ଞାପନ କରିଛି। ସେହିପରି ରୋହିତଙ୍କୁ ‘‘ମାଷ୍ଟର ଅଫ୍ ପୁଲ୍ ସର୍ଟ’’ ବୋଲି ବିବେଚନା କରି ଆଇସିସି ତା’ର ଟ୍ବିଟରରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛି।